କେଜ୍ରିୱାଲ୍‌ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ବାଦ ପଡ଼ିଲେ ବିଜେପି ସାଂସଦ ପରଭେଶ ବର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିରୋଧରେ ନିକଟରେ ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ବୁଧବାର ନିର୍ବାଚନ କମିସନ ବିଜେପି ସାଂସଦ ପରଭେଶ୍ ବର୍ମାଙ୍କ ନିର୍ବାଚନ ପ୍ରଚାର ଉପରେ ୨୪ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ସେ ଟିଭିରେ ଏକ ବିତର୍କ କାର୍ଯ୍ୟକ୍ରମରେ କେଜ୍ରିୱାଲ୍‌ଙ୍କ ସଂପର୍କରେ ବିବାଦୀୟ  ବୟାନ ଦେବା ସହ  ପୂର୍ବରୁ  ତାଙ୍କୁ ଜଣେ ‘ଆତଙ୍କବାଦୀ’ ବୋଲି ଅଭିହିତ କରିଥିଲେ। ଏହାକୁ ନେଇ ଅଭିଯୋଗ ହେବା ପରେ ନିର୍ବାଚନ କମିସନର ବର୍ମାଙ୍କ ପ୍ରଚାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି। କେବଳ ନିର୍ବାଚନ ପ୍ରଚାର ନୁହେଁ ଏହି ୨୪ ଘଣ୍ଟାର ନିଷେଧାଦେଶ ସମୟରେ ବର୍ମାଙ୍କ ଟିଭି ସୋ’ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି।

ନିକଟରେ ଜାନୁଆରି ୨୯ ତାରିଖରେ ପରଭେସ ବର୍ମା ଦିଲ୍ଲୀର ଏକ ରାଲିରେ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ। ସେ କହିଥିଲେ କି ଦିଲ୍ଲୀରେ କେଜ୍ରିୱାଲ୍‌ଙ୍କ ପରି ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି। ସୀମାରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବି ନା ଦିଲ୍ଲୀରେ କେଜ୍ରିୱାଲ୍‌ଙ୍କ ସହ ଲଢ଼େଇ କରିବି ତାହା ବୁଝି ପାରୁନାହିଁ।

India TV

କେବଳ ଏତିକି ନୁହେଁ, ନିକଟରେ ବିଜେପି ସାଂସଦ ବର୍ମା ସାହିନ ବାଗ୍‌ ପ୍ରଦର୍ଶନକାରୀଙ୍କୁ ଦୁଷ୍କର୍ମକାରୀ  ଓ ହତ୍ୟାକାରୀ ବୋଲି କହିବା ପରେ ବିବାଦ ଉପୁଜିଥିଲା। ସେ ଆହୁରି ବି କହିଥିଲେ କି ଲକ୍ଷ ଲକ୍ଷ ଲୋକ ଘରେ ପଶି ଦିଲ୍ଲୀର ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବେ। ଏହି ବୟାନ ଲାଗି ନିକଟରେ ନିର୍ବାଚନ କମିସନ ତାଙ୍କ ଉପରେ ୯୬ ଘଣ୍ଟା ( ଚାରି ଦିନ)  ପାଇଁ  ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ସାଂସଦ ପରଭେଶ୍ ବର୍ମାଙ୍କୁ ପ୍ରଚାରରୁ ଦୂରେଇ ରହିବାକୁ ହୋଇଥିଲା।

ସମ୍ବନ୍ଧିତ ଖବର