ନୂଆଦିଲ୍ଲୀ : କ୍ଷେତରେ ନଡ଼ା ନ ପୋଡ଼ିବା ପାଇଁ କୃଷକମାନଙ୍କୁ ଏକରପିଛା ଅଢ଼େଇ ହଜାର ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବା ଲାଗି ଦିଲ୍ଲୀ ଓ ପଞ୍ଜାବ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର ତାହାକୁ ଗ୍ରହଣ କରିନାହାନ୍ତି। ଫଳରେ ଚାଷୀମାନେ ନଡ଼ା ଓ କୃଷି ବର୍ଜ୍ୟ ପୋଡ଼ିବେ ଏବଂ ଦିଲ୍ଲୀରେ ଏ ବର୍ଷ ଶୀତଋତୁରେ ବାୟୁ ପ୍ରଦୂଷଣର ମାତ୍ରାରେ କିଛି ବି ହ୍ରାସ ଘଟିବ ନାହିଁ।

Advertisment

ଅମଳ ଋତୁ ଆଉ ଅଳ୍ପଦିନ ବାକି ରହିଲା। ପ୍ରଦୂଷଣକୁ ରୋକିବା ପାଇଁ ରହିଛି ଦୁଇଟି ପ୍ରସ୍ତାବ। ଗୋଟିଏ ହେଉଛି କ୍ଷେତରେ ନଡ଼ା ନ ପୋଡ଼ି ତାକୁ ଯନ୍ତ୍ରାଦି ଦ୍ବାରା କାଟି ନେଇଯିବା। ଦ୍ବିତୀୟଟି ହେଉଛି କ୍ଷେତରେ ଜୈବବିଘଟକ ଦ୍ବାରା ନଡ଼ା ଓ କୃଷିବର୍ଜ୍ୟଗୁଡ଼ିକୁ ବିଘଟିତ କରିଦେବା। ଫଳରେ ତାହା ସେହି କ୍ଷେତରେ ରହି ଖତର କାମ ଦେବ। ଦୁଇ ରାଜ୍ୟ ସରକାର ଦ୍ବିତୀୟ ପ୍ରସ୍ତାବ ସପକ୍ଷରେ। କିନ୍ତୁ କୃଷକମାନେ ଏ ଜୈବବିଘଟକ ବ୍ୟବହାରକୁ ଅବାସ୍ତବ ବୋଲି କହି ଅଗ୍ରାହ୍ୟ କରିଦେଇଛନ୍ତି।

publive-image NewsClick

ଏହା ଦିଲ୍ଲୀର ଆପ୍ ସରକାର ପାଇଁ ଏକ ଆହ୍ବାନ। କାରଣ ନଡ଼ା ପୋଡ଼ି ବନ୍ଦ କରିବା ପାଇଁ ପଞ୍ଜାବ ଓ ହରିୟାଣା ସରକାର କିଛି କରୁନାହାନ୍ତି ବୋଲି ଆଗରୁ ଆପ୍‌ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହି ଆସୁଥିଲେ। ବର୍ତ୍ତମାନ ସେହି ଆପ୍ ହିଁ ପଞ୍ଜାବରେ ସରକାର ଚଳାଉଛି। ଜୈବବିଘଟକର ଏକ ସମସ୍ୟା ହେଉଛି ଏହି ଔଷଧ ପକାଇଲେ ନଡ଼ା ପଚିବାକୁ ମାସେ ସମୟ ଲାଗୁଛି। କିନ୍ତୁ ଧାନ ପରେ ପରେ ଗହମ ଚାଷ ଆରମ୍ଭ କରାଯାଇଥାଏ। ଗହମ ଚାଷ ପୂର୍ବରୁ ନଡ଼ା ପଚିବା ପାଇଁ ଏତେଦିନ ସମୟ ଦେବା ସମ୍ଭବ ହୋଇ ନ ଥାଏ। ତେଣୁ ସିଡର ସମେତ କୃଷି ବର୍ଜ୍ୟ ପରିଚାଳନା ମେସିନେରି କିଛି ପରିମାଣରେ କାମ କଲେ ମଧ୍ୟ ଜୈବବିଘଟକ ବ୍ୟବସ୍ଥା ଚାଷୀମାନଙ୍କ ପାଇଁ ଆଦୌ ବ୍ୟବହାରଯୋଗ୍ୟ ନୁହେଁ। ପଟିଆଲା ଜିଲା ଜାସୋ ମାଜ୍ରାର ଗୁରମେଲ ସିଂହ କହିଛନ୍ତି ଯେ ସେମାନେ ବରଂ ମେସିନ ବ୍ୟବହାର କରିବେ କିନ୍ତୁ ଜୈବବିଘଟକ ବ୍ୟବହାର କରିପାରିବେ ନାହିଁ। କିନ୍ତୁ ଯେଉଁମାନେ ଟଙ୍କା ଖର୍ଚ୍ଚ କରି ମେସିନ ବ୍ୟବହାର କରିପାରିବେ ନାହିଁ ସେମାନେ ନଡ଼ା ପୋଡ଼ିବାକୁ ବାଧ୍ୟ ହେବେ।