ନୂଆଦିଲ୍ଲୀ : ଦିଲ୍ଲୀେର ବାୟୁ ପ୍ରଦୂଷଣ ସ୍ତର ଆଜି ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି। ଜାତୀୟ ରାଜଧାନୀରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନରେ ମଧ୍ୟ କିଛି ଦେଖାଯାଉ ନାହିଁ। ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଜି ୩୭ଟି ଯାତ୍ରୀବାହୀ ବିମାନ ଅବତରଣ କରିବାରେ ଅସମର୍ଥ ହେବାରୁ ସେଗୁଡ଼ିକୁ ଜୟପୁର, ଅମୃତସର ଓ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବା ପାଇଁ ପଠାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାୟୁ ପ୍ରଦୂଷଣ ଉଦ୍ବେଗଜନକ ହୋଇପଡ଼ିବା କାରଣରୁ ନୋଏଡ଼ା, ଗ୍ରେଟର ନୋଏଡ଼ା ଏବଂ ଗାଜିଆବାଦର ସମସ୍ତ ଘରୋଇ ତଥା ସରକାରୀ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୪ ଓ ୫ ତାରିଖ ଦୁଇଦିନ ପାଇଁ ଏ ସମସ୍ତ ସ୍କୁଲ୍ ବନ୍ଦ ରହିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଗତକାଲି ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଆଜି ସାଂଘାତିକ ରୂପ ନେଇଛି। ହରିୟାଣା ସରକାର ମଧ୍ୟ ଗୁଡ଼ଗାଓଁ ଓ ଫରିଦାବାଦରେ ସମସ୍ତ ସ୍କୁଲକୁ ୫ ତାରିଖ ଯାଏଁ ବନ୍ଦ କରିବାକୁ ଘୋଷଣା କରିଛନ୍ତି।
ଆଜି ଦିଲ୍ଲୀ ସହରରେ ବାୟୁର ଗୁଣବତ୍ତା ସୂଚୀ(ଏକ୍ୟୁଆଇ)ର ସୁକ୍ଷ୍ମ କଣିକା ସ୍ତର (ପିଏମ୍) ୬୨୫ ଅତିକ୍ରମ କରିଯାଇଛି। ଏହାକୁ ‘ଅତି ମାରାତ୍ମକ’ ବୋଲି ବିଚାର କରାଯାଉଛି। ଧିରପୁରରେ ଏକ୍ୟୁଆଇ ୫୦୯ ଥିଲା ବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଞ୍ଚଳରେ ୬ ଶହ ଅତିକ୍ରମ କରିଯାଇଛି। ଚାନ୍ଦିନୀଚୌକରେ ୪୩୨, ଲୋଧିରୋଡ୍ରେ ୫୩୭ ଥିବା ବେଳେ ନୋଏଡ଼ାରେ ଏହା ୬୨୭ରେ ପହଞ୍ଚିଛି। ଦିଲ୍ଲୀ ସହରରେ ନିୟମିତ ଭାବେ ଏକ୍ୟୁଆଇ ବୃଦ୍ଧି ପାଇବା ସହ ଆଜି ଦିନତମାମ୍ ଦିଲ୍ଲୀ ସହର ଘନ କୁହୁଡ଼ିରେ ଘୋଡ଼େଇ ହୋଇ ରହିଥିଲା। ଦୀପାବଳି ପରଠାରୁ ନୂଆଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ କାରଣରୁ ହଜାର ହଜାର ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଦୀପାବଳି ପରଠାରୁ ବାୟୁ ମଣ୍ଡଳ ପିଏମ୍-୨.୫ ସ୍ତର ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ପରିସ୍ଥିତି ଏଭଳି ହୋଇଛି ଯେ ଆଜି ଲୋକେ ଘରର କବାଟ ଝରକା ଖୋଲିବା ପାଇଁ ମଧ୍ୟ ଡରୁଛନ୍ତି। ସରକାର ଦିଲ୍ଲୀରେ ସ୍ବାସ୍ଥ୍ୟ ଏମର୍ଜେନ୍ସି ଜାରି କରିଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଇଛନ୍ତି।
ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁକ ସଚିବ ପ୍ରମୋଦ ମିଶ୍ର ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ କ୍ୟାବିନେଟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିଦିନ ପରିସ୍ଥିତିର ସମୀକ୍ଷା କରିବା ଲାଗି କ୍ୟାବିନେଟନ ସଚିବଙ୍କୁ କୁହାଯାଇଛି।