ଦିଲ୍ଲୀରେ ପ୍ରଦୂଷଣ ମୁକାବିଲାନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଆମ୍ ଆଦମୀ ପାର୍ଟି ସରକାର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ  ସଚିବାଳୟରେ ଅଧିକାରୀମାନଙ୍କ ସହ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୨୨ରେ ପହଞ୍ଚିଛି।

Advertisment

ବାୟୁ ପ୍ରଦୂଷଣ ବଢୁଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଙ୍ଗଳବାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଭିନ୍ନଭିନ୍ନ ଅଫିସ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ଯାତାୟାତ ସମୟରେ ରାସ୍ତାରେ ଭିଡ଼ ଉପୁଜିବ ନାହିଁ। ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମ୍‌ସିଡି) ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ସଂଶୋଧିତ କାର୍ଯ୍ୟସୂଚୀ ଅନୁସରଣ କରିବେ। ଏମ୍‌ସିଡି କାର୍ଯ୍ୟାଳୟ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ଆଦେଶ ୨୦୨୫ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ।

ବିପଜ୍ଜନକ ପ୍ରଦୂଷଣର ମୁକାବିଲା ପାଇଁ ସବୁଠାରୁ କଠୋର ପଦକ୍ଷେପ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା କିମ୍ବା ଏଲ୍‌ଏନ୍‌ଜି, ସିଏନ୍‌ଜି, ବିଏସ୍‌-୬ ଡିଜେଲ କିମ୍ବା ବିଦ୍ୟୁତ୍‌ଚାଳିତ ଗାଡ଼ି ଛଡ଼ା ଅନ୍ୟ ଗାଡ଼ି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ଗାଡ଼ି ବ୍ୟତୀତ ଦିଲ୍ଲୀ ବାହାରୁ ଅଣଅତ୍ୟାବଶ୍ୟକ ହାଲୁକା ବାଣିଜ୍ୟିକ ଯାନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସାର୍ବଜନୀନ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ମଙ୍ଗଳବାର ଦିଲ୍ଲୀ ପରିବେଶ ମନ୍ତ୍ରୀ  କେନ୍ଦ୍ରକୁ ଚିଠି ଲେଖି ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ ସହରରେ କୃତ୍ରିମ ବର୍ଷା ପାଇଁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି।