ନୂଆଦିଲ୍ଲୀ: ଦୀପାବଳିର  ଦିନକ ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗୁରୁତର ସଙ୍କଟ ସୃଷ୍ଟି କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ରାଜଧାନୀର କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରି ‘ଅତି ଖରାପ’ ଶ୍ରେଣୀରେ ପହଞ୍ଚିଛି। ଏହି ସ୍ଥିତି ନାଗରିକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହେବା ସହ ଦୀପାବଳି ଉତ୍ସବ ସମୟରେ ଆହୁରି ଖରାପ ହେବା  ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌) ସ୍ତର-୨ କଟକଣା ଲାଗୁ କରାଯାଇଛି।

Advertisment

ଲଗାତାର ଷଷ୍ଠ ଦିନ ପାଇଁ ଦିଲ୍ଲୀରେ ବାୟୁର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି। ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୯ଟିରେ ଏକ୍ୟୁଆଇ ‘ଅତି ଖରାପ’ ସ୍ତରରେ ରେକର୍ଡ ହୋଇଛି।  ଆନନ୍ଦ ବିହାରରେ ଏକ୍ୟୁଆଇ ୩୮୯ ରେକର୍ଡ କରାଯାଇଥିବା ବେଳେ ୱଜିରପୁରରେ ୩୫୧, ଜହାଙ୍ଗୀରପୁରୀରେ ୩୧୦  ଏବଂ ଦ୍ୱାରକାରେ ୩୧୦ ରେକର୍ଡ କରାଯାଇଛି।। ଅକ୍ଷରଧାମରେ ଏକ୍ୟୁଆଇ ୪୨୬ ଓ ଆନନ୍ଦ ବିହାରରେ ୪୧୮ ପହଞ୍ଚି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଏନ୍‌ସିଆର ଅଞ୍ଚଳ ଯେପରିକି ଗାଜିଆବାଦ (୩୨୪- ଅତି ଖରାପ), ନୋଏଡା (୨୯୮- ଖରାପ), ଏବଂ ଗୁରୁଗ୍ରାମ (୨୫୮୦ଖରାପ) ମଧ୍ୟ ପ୍ରଦୂଷଣର କବଳରେ ରହିଛି।

ଯାନବାହନଜନିତ ପ୍ରଦୂଷଣ ସାଙ୍ଗକୁ ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ାପାଳ ଜାଳିବା ଓ ସ୍ଥିର ପାଗ ମଧ୍ୟ ପ୍ରଦୂଷଣକୁ ବଢ଼ାଉଛି । ଗତକାଲି ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୩୩.୫ ଡିଗ୍ରି ସେଲସିୟସ (ସାଧାରଣଠାରୁ ୦.୯ ଡିଗ୍ରି ଅଧିକ) ଓ ସର୍ବନିମ୍ନ ୧୯.୬ ଡିଗ୍ରି ସେଲସିୟସ ରହିଥିଲା, ଯାହା ପ୍ରଦୂଷଣକାରୀ ପଦାର୍ଥକୁ ବାୟୁମଣ୍ଡଳରେ ଅଟକାଇ ରଖିଛି। ଦୀପାବଳି ସମୟରେ ଆତସବାଜି  ଯୋଗୁ ପ୍ରଦୂଷଣ ସଙ୍କଟ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସହରରେ ଏବେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବାରୁ  ନାଗରିକମାନଙ୍କୁ ମାସ୍କ ବ୍ୟବହାର, ଆତସବାଜି ହ୍ରାସ ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।   ନିର୍ମାଣ କାର୍ଯ୍ୟରେ ନିୟନ୍ତ୍ରଣ ସହ ଧୂଳି ଉତ୍ପନ୍ନ କରୁଥିବା ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ କଡା ନିୟନ୍ତ୍ରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପୁରୁଣା ଓ ଅଧିକ ପ୍ରଦୂଷଣକାରୀ ଯାନବାହନ  ଚଳାଚଳ ଉପରେ କଟକଣା ଲାଗୁ ହୋଇଛି।   କୋଇଲା ଓ କାଠ ଜାଳିବା ଉପରେ କଡା ନିଷେଧାଜ୍ଞା ଜାରି ହୋଇଛି।