ଦିଲ୍ଲୀ ପ୍ରଦୂଷଣ: ଏନଜିଟି-ଦିଲ୍ଲୀ ସରକାର ମୁହାଁମୁହିଁ, ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ସର୍ତ୍ତ ହଟାଇବାକୁ ସରକାର ପୁଣି ଏନ୍‌ଜିଟିର ଦ୍ୱାରସ୍ଥ ହେବେ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ କରିବାକୁ ନେଇ ଦିଲ୍ଲୀ ସରକାର ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମୁହାଁମୁହିଁ ହୋଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ଉପରଠାଉରିଆ ବୋଲି ଏନ୍‌ଜିଟି ଦର୍ଶାଇବା ସହ ଯୁଗ୍ମ ଅଯୁଗ୍ମ ନିୟମ କାର୍ଯ୍ୟକାରୀ କରିବା ବେଳେ ଏଥିରୁ ୨ ଚକିଆ ଯାନ ଏବଂ ମହିଳା ବି ବାଦ ପଡ଼ିବେ ନାହିଁ ବୋଲି ସର୍ତ୍ତ ଲାଗୁ କରିଛନ୍ତି। ଏନ୍‌ଜିଟିର ଏହି କଠୋର ସର୍ତ୍ତ ପରେ ଦିଲ୍ଲୀ ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି ଏବଂ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଆଗାମୀ ୧୩ ତାରିଖରୁ ଲାଗୁ ହେବନାହିଁ ବୋଲି ଘୋଷଣା କରିଛନ୍ତି। ମହିଳାମାନଙ୍କୁ ଯୁଗ୍ମ-ଅଯୁଗ୍ମ କଟକଣାରୁ ବାଦ ନଦେଲେ ପରିସ୍ଥିତି ନିୟନ୍ତ୍ରଣ କରିବା ସରକାରଙ୍କ ପକ୍ଷେ ସମ୍ଭବ ହେବନାହିଁ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କହିଛନ୍ତି। ଏ ବାବଦରେ ପୁଣି ଥରେ ଏନ୍‌ଜିଟିରେ ଆବେଦନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ଯୁଗ୍ମ ଅଯୁଗ୍ମ ଫର୍ମୁଲାରୁ ଭିଆଇପି ଓ ଭିଭିଆଇପି ମଧ୍ୟ ବାବଦ ପଡ଼ିବେ ନାହିଁ ବୋଲି ଏନ୍‌ଜିଟି ସର୍ତ୍ତ ରଖିବା ପରେ ସରକାରଙ୍କ ଅଡ଼ୁଆ ଆହୁରି ବଢ଼ିଛି।

ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି ଯେ ଦିଲ୍ଲୀରେ ଡିଟିସି ବସ୍‌ ସେବା ଦ୍ୱାରା ପ୍ରତିଦିନ ୨୩ ଲକ୍ଷ ଯାତ୍ରୀ ଉପକୃତ ହେଉଛନ୍ତି। ଦିଲ୍ଲୀରେ ଏବେ ୬୬ ଲକ୍ଷ ମୋଟର ସାଇକେଲ ରହିଛି । ଏଭଳି ସ୍ଥିତିରେ ୫୦ ପ୍ରତିଶତ ବାଇକ୍‌ ରାସ୍ତାରୁ ହଟିଲେ ଅଧିକ ୩୫୦୦ ବସ୍‌ ଚଳାଇବାକୁ ପଡ଼ିବ ଏବଂ ତାହା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଏନ୍‌୍‌ଜିଟି ତାଙ୍କ ରାୟରେ କହିଥିଲେ ଯେ କେବଳ କାର୍‌ ଚଳାଚଳକୁ ହ୍ରାସ କରି ଏଭଳି ଭୟଙ୍କର ପ୍ରଦୂଷଣରୁ ମୁକ୍ତି ମିଳିବ ନାହିଁ ଏବଂ ଏଥିରେ ବାଇକ୍‌ ମଧ୍ୟ ସାମିଲ ହେବା ଆବଶ୍ୟକ । ପୂର୍ବରୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ପ୍ରୟୋଗରୁ କ’ଣ ସୁଫଳ ମିଳିଛି ତାହା ଜଣାଇବାକୁ ମଧ୍ୟ ଏନ୍‌ଜିଟି ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଆଗାମୀ ୧୩ରୁ ୧୭ ତାରିଖ ଯାଏ ଚାରି ଦିନ ପାଇଁ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଯୁଗ୍ମ ଅଯୁଗ୍ମ ନିୟମକୁ ଲାଗୁ କରାଯିବ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ। ତେବେ ଏହି ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିବାରୁ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚାଲିଥିବା ଉଦ୍ୟମକୁ ଝଟ୍‌କା ହୋଇଛି। ଦିଲ୍ଲୀରେ ପ୍ରଥମେ ୨୦୧୬ ଜାନୁଆରି ପହିଲାରୁ ୧୫ ତାରିଖ ଯାଏ ଏବଂ ଏପ୍ରିଲ ୧୪ରୁ ୩୦ ଯାଏ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଲାଗୁ କରାଯାଇଥିଲା। ଦିଲ୍ଲୀ ସରକାର ଏଭଳି କଟକଣା ଲଗାଇ ପ୍ରଦୂଷଣକୁ କିଛି ପରିମାଣରେ ରୋକିବାରେ ସମର୍ଥ ହୋଇଥିବା ଦାବି କରୁଥିବା ବେଳେ ଏବେ ଏନ୍‌ଜିଟି ଏ ବାବଦରେ ବିସ୍ତତ ରିପୋର୍ଟ ଦେବାକୁ ଦିଲ୍ଲୀ ସରକାରଙ୍କୁ ଏନ୍‌୍‌ଜିଟି କହିଛନ୍ତି।

ସମ୍ବନ୍ଧିତ ଖବର