ଦିଲ୍ଲୀରେ ପୁଣି ପ୍ରଦୂଷଣସ୍ତର ସଂକଟଜନକ ସ୍ଥିତିରେ : ଏନସିଆରରେ ୨ ଦିନ ପାଇଁ ସ୍କୁଲ ବନ୍ଦ, ନିର୍ମାଣ ଉପରେ ଲାଗିଲା ପ୍ରତିବନ୍ଧକ

ନୂଅ‌ାଦିଲ୍ଲୀ:  ପୁଣି ଥରେ ସାଂଘାତିକସ୍ତରକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ସତେ ଯେମିତି ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦିଲ୍ଲୀ ସହର । ବାୟୁ ପ୍ରଦୂଷଣର ସ୍ଥିତିକୁ ଦେଖି ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏନସିଆର ଅଂଚଳର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ସେହିପରି ଆସନ୍ତାକାଲି ଯାଏଁ ସମସ୍ତ ମିକ୍ସଚର ପ୍ଲାଣ୍ଟ ଏବଂ ପଥର କ୍ରସର ମଧ୍ୟ ବନ୍ଦ ରହିବ ବୋଲି କେଜ୍ରିୱାଲ ସରକାର ଘୋଷଣା କରିଛନ୍ତି । ଏପରି ପ୍ରଦୂଷଣ ମାତ୍ରାକୁ ଦେଖିବା ପରେ ଆଗକୁ ମଧ୍ୟ ରାଜ୍ୟରେ ଯୁଗ୍ମ-ଅଯୁଗ୍ମ    ନମ୍ବର ଗାଡ଼ି ଚଳାଚଳ ବ୍ୟବସ୍ଥା  ଲାଗୁ ହେବ ବୋଲି ଆଶା କରାଯାଉଛି ।

ଗୋଟିଏ ପଟେ ଥଣ୍ଡା ବଢୁଥିବା ବ‌େଳେ ଅନ୍ୟ ପଟେ ଖରାପ ହୋଇ ଚାଲିଥିବା ବାୟୁର ମାନକୁ ନେଇ ଚିନ୍ତାରେ ପଡିଛନ୍ତି ଦିଲ୍ଲୀବାସୀ । ଆଜି ଏନସିଆର ଅଂଚଳରେ ବାୟୁର ଗୁଣବତ୍ତା ମାନକ ରହିଛି ୫୦୦, ଯାହାକି ସାଂଘାତିକ ଶ୍ରେଣୀରେ ଆସୁଛି । ସେହିପରି ଆନନ୍ଦ ବିହାର ଅଂଚଳରେ ବାୟୁର ଗୁଣବତ୍ତା ମାନକ ୫୬୪ ରେକର୍ଡ ହୋଇଛି । ଦିଲ୍ଲୀ ପରି ଏହା ନିକଟବର୍ତୀ ଅଞ୍ଚଳ ଗାଜିଆବାଦରେ ବି ବାୟୁର ଗୁଣବତ୍ତା ମାନକ ଅତି ସାଂଘାତିକ ରହିଛି । ଏଠାରେ ବାୟୁର ଗୁଣବତ୍ତା ମାନକ ୫୬୦, ଦିଲ୍ଲୀର ନେହରୁ ଷ୍ଟାଡିୟମ ଅଂଚଳରେ ୪୮୩ , ନୋଏଡାରେ ୫୮୮, ଆଇଟିଓ ଅଂଚଳରେ ବାୟୁ ପ୍ରଦୂଷଣ ମାନକ ରହିଛି ୪୭୪ ।

ପଡୋଶୀ ରାଜ୍ୟରେ ପରେଲି ଜଳାଇବା କାରଣରୁ ବିଶେଷ କରି ଦିଲ୍ଲୀ ଏନସିଆର ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛି । ଏଠାରେ ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ ସ୍କୁଲଗୁଡ଼ିକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ରଖିବାକୁ ଘୋଷଣା ହୋଇଛି । ଦିଲ୍ଲୀର ଲୋଧି ରୋଡରେ ଅଧିକାଂଶ ସ୍ଥାନରେ ପିଏମ୍ ୨.୫ ଓ ପିଏମ୍ ୧୦ର ମାନକ ୫୦୦ ଉପରେ ରହିବା ପରିସ୍ଥିତିକୁ ଜଟିଳ କରିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାକୁ ଦେଖି କିଛି କଟକଣା ଗ୍ରହଣ କରାଯାଇଥିଲା । ଯାହା ମଧ୍ୟରେ ରହିଥିଲା ଯୁଗ୍ମ-ଅଯୁଗ୍ମ ଲାଗୁ କରିବା । କିଛି ଦିନ ସ୍ଥିତି ସୁଧୁରିଥିଲେ ମଧ୍ୟ ଏବେ ପୁଣି ଥରେ ଘାତକ ସ୍ତରକୁ ଆସିଛି ପ୍ରଦୂଷଣ । ଏଥିପାଇଁ ଦିଲ୍ଲୀରେ ପୁଣି ଯୁଗ୍ମ-ଅଯୁଗ୍ମ ଯୋଜନା ଆଗକୁ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର