ନୂଆଦି୍ଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସଙ୍କଟ ବଢ଼ାଇ ଦେଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଶନିବାର ସକାଳେ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଆସିଛି ଏବଂ  ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି। ଗତକାଲି  ଦିଲ୍ଲୀ-ଏନ୍‌ସିଆର୍‌ର କିଛି ଅଂଶରେ ବାୟୁମାନ ସୂଚକାଙ୍କ ଖରାପ ରହିଥିଲା, କିନ୍ତୁ ଶନିବାର ସକାଳେ ଏହା ଅଧିକ ଖରାପ ଆଡ଼କୁ ଗତି କରିଥିଲା। ଆଜି ଦିଲ୍ଲୀର ଆନନ୍ଦ ବିହାର, ରୋହିଣୀ, ମୁଣ୍ଡକା, ଦ୍ୱାରକା ସେକ୍ଟର-୮, ନରେଲା ଓ ଜାହାଙ୍ଗୀରପୁରିରେ ଏକ୍ୟୁଆଇ ଯଥାକ୍ରମେ ୩୩୪, ୩୪୦, ୩୭୨, ୩୪୩, ୩୨୮ ଓ ୩୫୩ ଥିଲା।  ଗତ କିଛି ଦିନ ମଧ୍ୟରେ ଏକ୍ୟୁଆଇ ୩୦୦ରୁ ଅଧିକ ହୋଇଥିବା ୧୩ଟି  ହଟସ୍ପଟ୍ ମଧ୍ୟରୁ ଉପରୋକ୍ତ ଅଞ୍ଚଳ ଅନ୍ୟତମ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ବିକାଜୀ କାମା ପ୍ଲେସ୍, ଆଇଟିଓ, ଇଣ୍ଡିଆ ଗେଟ୍ ଏବଂ ଏମ୍ସ ଅଂଚଳରେ ବାୟୁ ଗୁଣବତ୍ତା ଯଥାକ୍ରମେ ୨୭୩, ୨୨୬, ୨୫୧ ଓ ୨୫୩ ଏକ୍ୟୁଆଇ ସହ ‘ଖରାପ’ ଶ୍ରେଣୀରେ ରହିଛି।  ଗତାକଲି ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀରେ ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ‘ଖରାପ’ ବର୍ଗ (୨୯୨)ରେ  ଥିଲା। ସେହିପରି ଗୁରୁଗ୍ରାମ ଏବଂ ଗାଜିଆବାଦ ଏବଂ ଗ୍ରେଟର ନୋଏଡାରେ ବାୟୁର ଗୁଣବତ୍ତା ମଧ୍ୟ ‘ଖରାପ’ ଶ୍ରେଣୀରେ ଥିବା ବେଳେ ଏକ୍ୟୁଆଇ ଯଥାକ୍ରମେ ୨୦୪, ୨୫୮ ଏବଂ ୨୬୪ ରହିଛି।  ଧୂଳି ପ୍ରଦୂଷଣ ହ୍ରାସ କରିବା ପାଇଁ ୧୩ଟି ହଟସ୍ପଟ୍‌ରେ ପ୍ରଦୂଷଣର ସ୍ଥାନୀୟ ଉତ୍ସ ଚିହ୍ନଟ କରି ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ଥାନ ପାଇଁ ସମନ୍ୱୟ କମିଟି ଗଠନ କରାଯାଇଛି ବୋଲି  ରାୟ କହିଛନ୍ତି।

ସରକାରୀ ବିବୃତି ଅନୁଯାୟୀ, ହଟସ୍ପଟ୍ ଅଞ୍ଚଳରେ ୮୦ଟି ମୋବାଇଲ  ଆଣ୍ଟି ସ୍ମୋଗ୍ ଗନ୍ ଲଗାଯାଇଛି। ବାୟୁର ଗୁଣବତ୍ତା ଖରାପ କରିବାରେ ସହାୟକ ହେଉଥିବା କାରଣଗୁଡ଼ିକ ମଧ୍ୟରେ ନଡ଼ା ଏବଂ ବର୍ଜ୍ୟବସ୍ତୁ ପୋଡ଼ିବା ଭଳି ଉତ୍ସରୁ ନିର୍ଗମନ ଅନ୍ତର୍ଭୁକ୍ତ। ପ୍ରତିକୂଳ ପାଣିପାଗ ପରିସ୍ଥିତି ମଧ୍ୟ ପ୍ରଦୂଷଣର ବିସ୍ତାରକୁ ବଢ଼ାଇବାରେ ଲାଗିଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ସହରର ବାୟୁଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ -୧ (ଜିଆରଏପି-୧) ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ। ଶୀତକାଳୀନ ପ୍ରଦୂଷଣ ନିରୋଧୀ ପଦକ୍ଷେପର ଏକ ସମୂହ ଜିଆରଏପିର ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ସ୍ଥଳରେ ଧୂଳି ପ୍ରଶମନ, ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନିୟମିତ ରାସ୍ତା ସଫେଇ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି।   

ସୂଚନାଯୋଗ୍ୟ, ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ଶ୍ରେଣୀ ବୋଲି କୁହାଯାଉଥିବା ବେଳେ, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ସାଂଘାତିକ’ ବୋଲି ବିବେଚନା କରାଯାଏ।