ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) କ୍ରମାଗତ ‘ଗୁରୁତର’ ସ୍ତରରେ ରହୁଥିବାରୁ ଶିଶୁ, ବୟସ୍କ ଓ ସାଧାରଣ ଲୋକମାନେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଥିବା ଦେଖାଯାଉଛି। ଏହା ଶ୍ୱାସକ୍ରିୟାଜନିତ ସମସ୍ୟା, ଆଖି ଜଳାପୋଡ଼ା ଓ ହୃଦ୍ରୋଗର ଆଶଙ୍କା ସମେତ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଥିବାରୁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି। ଡାକ୍ତରଖାନାଗୁଡ଼ିକରେ ଏହି ଧରଣର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, କ୍ରମାଗତ ଚତୁର୍ଥ ଦିନ ପାଇଁ ଦିଲ୍ଲୀ ସହରରେ ଘନ ଧୂଆଁକୁହୁଡ଼ି ରହିଥିବା ବେଳେ ଶନିବାର ସକାଳ ୮ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୬ ରେକର୍ଡ କରାଯାଇଛି। ସକାଳ ୬ଟା ୪୫ ମିନିଟ୍ରେ ନିଆଯାଇଥିବା ଡ୍ରୋନ୍ ଦୃଶ୍ୟରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ନିକଟରେ ସମଗ୍ର ଅଞ୍ଚଳ ଧୂଆଁକୁହୁଡ଼ିମୟ ହୋଇଯାଇଥିଲା। ଆଜି ସକାଳେ ଆଇଟିଓ ସମେତ ପ୍ରଗତି ମଇଦାନ ଓ ଆଖପାଖ ଅଞ୍ଚଳର ଏକ୍ୟୁଆଇ ୩୫୭ ରେକର୍ଡ କରାଯାଇଥିଲା, ଯାହାକୁ ‘ଅତ୍ୟନ୍ତ ଖରାପ’ ଶ୍ରେଣୀଭୁକ୍ତ କରାଯାଇଛି। କାଳିନ୍ଦୀ କୁଞ୍ଜ ଆଖପାଖ ଅଞ୍ଚଳ ମଧ୍ୟ ଧୂଆଁକୁହୁଡ଼ିରେ ଆଚ୍ଛାଦିତ ରହିଥିଲା ଏବଂ ଏକ୍ୟୁଆଇ ଗୁରୁତର ବର୍ଗରେ ରହିଥିଲା। ଅନ୍ୟପକ୍ଷରେ କାଳିନ୍ଦୀ କୁଞ୍ଜ ଓ ଓଖଲା ବ୍ୟାରେଜ୍ ନିକଟରେ ଥିବା ନଦୀର କିଛି ଅଂଶରେ ଶିଳ୍ପ ବର୍ଜ୍ୟବସ୍ତୁ, ନର୍ଦ୍ଦମା ନିଷ୍କାସନ ଓ ଡିଟର୍ଜେଣ୍ଟ ଯୋଗୁଁ ବିଷାକ୍ତ ଫେଣ ଦେଖିବାକୁ ମିଳିଥିଲା। ଏକାଧିକ ଅଞ୍ଚଳରେ ଏକ୍ୟୁଆଇ ‘ଗୁରୁତର’ ଶ୍ରେଣୀରେ ରହିଥିବା ବେଳେ ଏହାକୁ ନେଇ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ସିପିସିବି ସୂଚନା ଅନୁଯାୟୀ ଇଣ୍ଡିଆ ଗେଟ୍ ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ୪୧୪ (ଗୁରୁତର) ରେକର୍ଡ କରାଯାଇଛି। ସେହିପରି ରାଜଘାଟ ଓ ଆଖପାଖ ଅଞ୍ଚଳରେ ଘନ ଧୂଆଁକୁହୁଡ଼ି ଦେଖିବାକୁ ମିଳିଥିଲା। ଆହୁରି ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ ଉପରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଶୁକ୍ରବାରଠାରୁ ଜାତୀୟ ରାଜଧାନୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍ଏପି-୩) ଅଧୀନରେ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମୋଟର ଯାନ ଆଇନ ୧୯୮୮ର ଧାରା ୧୯୪(୧) ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଜିଆର୍ଏପି-୩ ପଦକ୍ଷେପଗୁଡ଼ିକ ମଧ୍ୟରେ ରାସ୍ତାର ଯାନ୍ତ୍ରିକ ସଫେଇ, ଦୈନିକ ଜଳ ସିଞ୍ଚନ ଆଦି ଅନ୍ତର୍ଭୁକ୍ତ। ଏଥି ସହିତ ସମସ୍ତ ଉଚ୍ଛେଦ କାର୍ଯ୍ୟ, ଖନନ ଓ ଭର୍ତ୍ତି ପାଇଁ ମାଟିକାମ, ବୋରିଂ ଓ ଡ୍ରିଲିଂ କାର୍ଯ୍ୟ ସମେତ ଉଚ୍ଛେଦ ବର୍ଜ୍ୟବସ୍ତୁ ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହି କଟକଣା ସତ୍ତ୍ବେ ବାୟୁମାନରେ କୌଣସି ଫରକ ଦେଖିବାକୁ ମିଳୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/17/AT9oAMHaGbldAMk5PmBy.jpg)