ନୂଆଦିଲ୍ଲୀ: ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ପ୍ରଦୂଷଣ ସ୍ତର ଆଜି ଭୟାବହ ସ୍ଥିତିରେ ପହଞ୍ଚିଛି। ଗତକାଲି କୁହୁଡ଼ି ଯୋଗୁଁ ୫୦ ମିଟିର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ବେଳେ ଆଜି ସକାଳୁ ଏହା ୧୦ ମିଟରଠାରୁ ବି କମ୍ ରହିଛି। ଘନ କୁହୁଡ଼ି ଏବଂ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଏନ୍୍ସିଆରରେ ସମସ୍ତ ବିଦ୍ୟାଳୟକୁ ରବିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ କହିଛନ୍ତି ଯେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇଯାଇଛି। ଏଭଳି ସ୍ଥିତିରେ ଶିଶୁମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଙ୍କଟ ଆଶଙ୍କା ବଢ଼ିଯାଇଛି । ଏଥିପାଇଁ ରବିବାର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତାକାଲିଠାରୁ କୁହୁଡ଼ିର ମାତ୍ରା କମିଯିବ ଏବଂ ବର୍ତ୍ତମାନର ଜଟିଳ ସ୍ଥିତିରୁ ମୁକ୍ତି ମିଳିବ। ଦିଲ୍ଲୀ ପ୍ରଦୂଷଣ ମାମଲାରେ ସୁପ୍ରିମ୍ କୋର୍ଟ ଦ୍ୱାରା ନିଯୁକ୍ତ କମିଟି ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କୁ କେତେକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି।
ତେବେ କୁହୁଡ଼ି କମିଲେ ମଧ୍ୟ ବାୟୁରେ ବିଷାକ୍ତ ଧୂଳିକଣାର ପରିମାଣ ଉଦ୍ବେଗଜନକ ସ୍ଥିତିରେ ରହିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ଜନବସତି ଅଂଚଳରେ ଥିବା ୩୯୫୯ କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ସ୍ଥିତିରେ ସୁଧାର ଆସିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଆକଳନ କରିଛନ୍ତି। ଦିଲ୍ଲୀରେ ପ୍ରାୟ ୪ ହଜାର କାରଖାନା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ଏବଂ ସଂପୃକ୍ତ ଅଂଚଳରେ ପ୍ରବଳ ଧୂଆଁ ଉଠୁଥିବାରୁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଏବେ ସହରର ପ୍ରଦୂଷଣସ୍ତର ସ୍ୱାଭାବିକଠାରୁ ୧୪ଗୁଣ ଅଧିକ ରହିଛି। ଦକ୍ଷିଣ ଦିଲ୍ଲୀରେ ଆର୍କେ ପୁରମ୍ ଭଳି ଜନବହୁଳ ଅଂଚଳରେ ପ୍ରଦୂଷଣସ୍ତରରେ ୧୦୦୦ ମାଇକ୍ରୋନ ଦେଖିବାକୁ ମିଳିଛି । ଯାହା ସ୍ୱାଭାବିକ ପ୍ରଦୂଷଣସ୍ତରଠାରୁ ୯ ଗୁଣ ଅଧିକ। ଆର୍କେ ପୁରମ୍ ବ୍ୟତୀତ ଆନନ୍ଦ ବିହାର , ଶାହଦରା, ବଜିରପୁର, ଅଶୋକ ବିହାର, ଶ୍ରୀନିବାସପୁରୀ ଅଂଚଳରେ ସ୍ଥିତି ଉଦ୍୍ବେଗଜନକ ରହିଛି। ବିଗତ ୩ ମାସ ଧରି ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣରୁ କିଛି ମାତ୍ରାରେ ମୁକ୍ତି ଦେବାପାଇଁ ଚାଲିଥିବା ପ୍ରୟାସ ଭଣ୍ଡୁର ହୋଇଥିବାରୁ ଆଗକୁ ସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଂଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ଘୋର ଚିନ୍ତାର କାରଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/10isbs-Delhi-poGE5QTLCB.3.jpg.jpg)