ଦିଲ୍ଲୀ ପ୍ରଦୂଷଣ: ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ, ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ପ୍ରସ୍ତୁତ’

ରାଜନୀତି ନୁହେଁ, ସମାଧାନ ଲୋଡ଼ା, ୨୪ ଘଣ୍ଟା ମଧ୍ୟରେ ଜରୁରୀ ବୈଠକ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ପାଇଁ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତୁରନ୍ତ କିଛି କାର୍ଯ୍ୟପନ୍ଥା ଗ୍ରହଣ କରିବା ବଦଳରେ ରାଜନୀତି ହେଉଛି। ଆମକୁ ରାଜନୀତି ନୁହେଁ ସମାଧାନ ଲୋଡ଼ା ବୋଲି ପ୍ରଧାନବିଚାରପତି ଏନ୍‌ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ। ସୁପ୍ରିମକୋର୍ଟ ଗତ ଶୁକ୍ରବାର ଦିନ ଶୁଣାଣି ସମୟରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜରୁରୀ ପଦକ୍ଷେପ ନେବାକୁ କହିଥିଲେ। କିନ୍ତୁ ଏ ବାବଦରେ ଉଭୟ ସରକାର କିଛି କାର୍ଯ୍ୟସୂଚୀ ପ୍ରସ୍ତୁତ କରିନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀ, ପଂଜାବ, ହରିୟାଣା‌, ଉତ୍ତରପ୍ରଦେଶ ସରକାରଙ୍କୁ ନେଇ ଏକ ଜରୁରୀ ବୈଠକ କରିବା ସହ ପ୍ରଦୂଷଣ ରୋକିବାପାଇଁ ତତ୍କାଳ ନିଆଯିବାକୁ ଥିବା ପଦକ୍ଷେପର ତାଲିକା ପ୍ରସ୍ତୁତ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି। ଦିଲ୍ଲୀ ଏବଂ ଏହା ସଂଲଗ୍ନ ରାଜ୍ୟଗୁଡ଼ିକରେ ୱାର୍କ ଫ୍ରମ୍‌ ‌ହୋମ୍‌ କରିବାପାଇଁ ବିଚାରବିମର୍ଶ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ପଂଜାବ, ହରିୟାଣା ଏବଂ ଉତ୍ତରପ୍ର‌ଦେଶରେ ଅନ୍ତତଃ ୨ ସପ୍ତାହ ପାଇଁ କୃଷକମାନେ ନଡ଼ା ପାଳ ଜାଳିବା ବନ୍ଦ କରିବା ଉପରେ ନିଷ୍ପତ୍ତି ନିଆଯାଉ ‌ବୋଲି କୋର୍ଟ କହିଛନ୍ତି। କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ନାହିଁ ବୋଲି ଦର୍ଶାଇ କୋର୍ଟ କହିଛନ୍ତି ଯେ କୃଷକମାନଙ୍କୁ ବୁଝାଇ ନଡ଼ାପାଳ ଜାଳିବା ବନ୍ଦ କରିବାକୁ ହେବ।

ଆସନ୍ତା ବୁଧବାର ସୁଦ୍ଧା କୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ସଂକ୍ରାନ୍ତ ପଦକ୍ଷେପ ଉପରେ ବିସ୍ତୃତ ରିପୋର୍ଟ ଚାହିଛନ୍ତି। ରିପୋର୍ଟ ଆଧାରରେ ହିଁ କୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବେ। କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ସରକାରଙ୍କ ପାଇଁ ଆ‌‌ମେ ଏଜେଣ୍ଡା ପ୍ରସ୍ତୁତ କରୁଛୁ। ଶୁକ୍ରବାର ଶୁଣାଣି ପରେ ଆମେ ଭାବିଥିଲୁ ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ବୈଠକ କରି ଚୂଡ଼ାନ୍ତ ରିପୋର୍ଟ ନେଇ ଆସିବେ। କିନ୍ତୁ ସେମିତି କିଛି ହେଲାନାହିଁ। ପ୍ରଦୂଷଣ ରୋକିବା ଦିଗରେ ଆସନ୍ତା ୨-୩ ଦିନରେ ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ନିଆଯିବା ଉଚିତ୍‌ ବୋଲି କୋର୍ଟ ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ କହିଛନ୍ତି।

ଆଜିର ଶୁଣାଣି ସମୟରେ କେନ୍ଦ୍ର ସରକାର କୋର୍ଟରେ କହିଥ‌ିଲେ ଯେ ହରିୟାଣା ଓ ପଂଜାବରେ ଚାଷୀମାନେ ନଡ଼ାପାଳ ଜାଳିବା ପ୍ରଦୂଷଣର ମୁଖ୍ୟ କାରଣ ନୁହେଁ। ପ୍ରଦୂଷଣର କେବଳ ୧୦ ପ୍ରତିଶତ ନଡ଼ା ପାଳ ଜାଳିବା ଦ୍ବାରା ହେଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ସଲିସିଟର ଜେନେରାଲ ମେହଟା କହିଛନ୍ତି, ଧୂଳି ଓ ଧୂଆଁ ହିଁ ପ୍ରଦୂଷଣର ପ୍ରମୁଖ କାରଣ। ତେବେ ଏ ଦିଗରେ ଦିଲ୍ଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସେ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷେ ମାମଲାରେ ଆବେଦନକାରୀ ଆଦିତ୍ୟ ଦୁବେଙ୍କ ଓକିଲ ବିକାଶ ସିଂହ କହିଛନ୍ତି, ପଂଜାବ ଏବଂ ଉତ୍ତରପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ଥିବା ଯୋଗୁଁ କେନ୍ଦ୍ର କି ଦିଲ୍ଲୀ ସରକାର ନଡ଼ା ପାଳ ଜାଳିବା ବିରୋଧରେ କିଛି କହୁନାହାନ୍ତି। କୋର୍ଟ ଆଜି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଧୂଳି, ଯାନବାହନ ଓ କାରଖାନାର ଧୂଆଁ ହିଁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥିବା‌ ବେଳେ ଦିଲ୍ଲୀରେ କେବଳ କାହିଁକି ୬୯ଟି ସ୍ବିପିଂ ମେସିନ୍‌ କାର୍ଯ୍ୟ କରୁଛି। ଇତି ମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀରେ ପ୍ରଦୂଷଣ ରୋକିବାପାଇଁ ସୁପ୍ରିମକୋର୍ଟଙ୍କୁ ୩ଟି ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିବା ସହ ଟ୍ରକ୍‌ ପ୍ରବେଶ ନିଷିଦ୍ଧ କରିବା ଏବଂ ଅତି ବିଶେଷ ପରିସ୍ଥିତିରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କରିବାପାଇଁ କେନ୍ଦ୍ର ସରକାର କହିଛନ୍ତି।

‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ପ୍ରସ୍ତୁତ’
ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାପାଇଁ ଦିଲ୍ଲୀରେ ଲକ୍‌ଡାଉନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାପାଇଁ ସୁପ୍ରିମକୋର୍ଟ ନିକଟ‌ରେ ପରାମର୍ଶ ଦେଇଥିଲେ। ତେବେ ଦିଲ୍ଲୀ ସରକାର ଆଜି କୋର୍ଟଙ୍କୁ କହିଛନ୍ତି, ପ୍ରଦୂଷଣ ରୋକିବାପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତ ଅଛନ୍ତି। କିନ୍ତୁ ବାୟୁର ଯେହେତୁ କୌଣସି ସୀମା ନାହିଁ ତେଣୁ ସମସ୍ତ ଏନ୍‌ସିଆର ରାଜ୍ୟମାନଙ୍କରେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେଲେ ହିଁ ଦିଲ୍ଲୀ ଲକ୍‌ଡାଉନ୍‌ ଫଳପ୍ରଦ ହୋଇପାରିବ ବୋଲି ସରକାର କହିଛନ୍ତି। ଏହାର ଉତ୍ତରରେ କୋର୍ଟ କହିଛନ୍ତି, ରାଜ୍ୟ ସରକାରମାନେ ମିଳିତ ଭାବେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ପ୍ରଦୂଷଣ ରୋକିବା ଦିଗରେ ଦିଲ୍ଲୀ ସରକାର ଏଯାବତ କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେନେଇ କୋର୍ଟଙ୍କୁ ଅବଗତ କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି, ଚଳିତ ସପ୍ତାହରେ ଦିଲ୍ଲୀରେ ସମସ୍ତ ସ୍କୁଲ୍‌ ବନ୍ଦ ରହିବ ଅଫଲାଇନ୍‌ କ୍ଲାସ୍‌ ହେବା ସହ ସମସ୍ତ ସରକାରୀ କର୍ମଚାରୀ ଘରୁ କାମ କରିବେ। ଘରୋଇ ଅଫିସ୍‌ମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସୁପ୍ରିମକୋର୍ଟ ଲକ୍‌ଡାଉନ୍‌ ସଂକ୍ରାନ୍ତରେ ବିଚାରବିମର୍ଶ କରିବାପାଇଁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଥିଲେ। କୋର୍ଟ କହିଥିଲେ, ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ, ଲୋକ ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର