ପ୍ରଦୂଷଣ ପାଇଁ ଜୀବନ ଦୁର୍ବିସହ, ୪୦% ଦିଲ୍ଲୀ ବାସିନ୍ଦା ସହର ଛାଡ଼ିବାକୁ ଚାହୁଛନ୍ତି : ସର୍ଭେ

ନୂଆଦିଲ୍ଲୀ : ପ୍ରଦୂଷଣ କାରଣରୁ ୪୦ ପ୍ରତିଶତ ଦିଲ୍ଲୀ-ଏନ୍‌ସିଆର୍‌ ବାସିନ୍ଦା ଦିଲ୍ଲୀ ଛାଡ଼ି ଅନ୍ୟ ସହରକୁ ପଳାଇ ଯିବାକୁ ଇଛା କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳର ୧୭,୦୦୦ ବାସିନ୍ଦାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ୪୦ ପ୍ରତିଶତ ଦିଲ୍ଲୀ-ଏନ୍‌ସିଆର୍‌ ବାସିନ୍ଦା ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ କହିଥିବା ବେଳେ ୩୧ ପ୍ରତିଶତ ‌ବାସିନ୍ଦା କହିଛନ୍ତି, ଦିଲ୍ଲୀ ଛାଡ଼ି ଚାଲିଯିବାକୁ ସେମାନଙ୍କର ଇଛା ଥିଲେ ବି ବାଧ୍ୟବାଧକତା ଯୋଗୁଁ ଏଠାରେ ପଡ଼ି ରହିଛନ୍ତି। ୧୬ ପ୍ରତିଶତ ଲୋକ କହିଛନ୍ତି, ସେମାନେ ଅନ୍ୟ ଋତୁରେ ଦିଲ୍ଲୀରେ ରହନ୍ତି, ମାତ୍ର ପ୍ରଦୂଷଣ ସମୟରେ ଦିଲ୍ଲୀ ଛାଡ଼ି ବାହାର ସହରକୁ ଚାଲି ଯାଆନ୍ତି। ବାୟୁ ପ୍ରଦୂଷଣ ଯୋଗୁଁ ୧୩ ପ୍ରତିଶତ ପରିବାରର ସଦସ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି। ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳର ୪୪ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ନାନା ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥିବା ବେଳେ ୧୪ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପ୍ରଦୂଷଣର ପ୍ରଭାବ ପଡ଼ିନାହିଁ ବୋଲି ଏହି ସର୍ଭେରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଦିଲ୍ଲୀର ବାୟୁ ପ୍ରଦୂଷଣ ଅତି ସାଂଘାତିକ (ଭେରି ସିଭିୟର) ରହିଛି। ଗତ ଶୁକ୍ରବାର ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶରେ ‘ପରିବେଶ ପ୍ରଦୂଷଣ ପ୍ରତିରୋଧ ନିୟନ୍ତ୍ରଣ କର୍ତ୍ତୃପକ୍ଷ’ (ଇପିସିଏ) ପବ୍ଲିକ୍‌ ହେଲ୍‌ଥ ଏମର୍ଜେନ୍‌ସି ଜାରି କରିଥିଲେ । ଇପିସିଏ ମଧ୍ୟ ଦିଲ୍ଲୀରେ ନିର୍ମାଣ କାମ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଆସନ୍ତାକାଲି ଇପିସିଏର ରିପୋର୍ଟ ଆଧାରରେ ସୁପ୍ରିମ୍‌ କୋର୍ଟ ଦିଲ୍ଲୀ ପ୍ରଦୂଷଣ ନେଇ ଶୁଣାଣି କରିବେ। ପଂଜାବ ଏବଂ ହରିୟାଣାର କୃଷକମାନେ ନଡ଼ାପାଳ ଜାଳିବା ଯୋଗୁଁ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଆହୁରି ଖରାପ ହେଉଛି ବୋଲି ଦିଲ୍ଲୀ ସରକାର ଅଭିଯୋଗ କରି ଆସୁଛନ୍ତି। ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟର କୃଷକମାନେ କହିଛନ୍ତି ଯେ ନଡ଼ା ଜାଳିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ।

ସମ୍ବନ୍ଧିତ ଖବର