ଜଟିଳ ହେଉଛି ଦିଲ୍ଲୀ ସଙ୍କଟ ଶାସକ-ବିରୋଧୀଙ୍କ ଧାରଣା ଜାରି

ଅନଶନକାରୀଙ୍କୁ ହଟାଇବାକୁ ଯୋଜନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ୩ ମନ୍ତ୍ରୀ ଆଜିକୁ ୫ ଦିନ ହେବ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଘରେ ଧାରଣା ଦେଇଛନ୍ତି। ଅପରପକ୍ଷେ ବିଜେପି ଆପ୍‌ ସରକାର ବିରୋଧରେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛି । ଆଜି ଏଲଜିଙ୍କ ବାସଭବନ ସମ୍ମୁଖରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନଶନରେ ବସିଥିବା ଆପ୍‌ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ନେଇ ସମର୍ଥକମାନେ ଅଭିଯୋଗ କରୁଥିବା ବେଳେ ଏଯାଏଁ ଉପରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରିନାହାନ୍ତି। ଉପ ରାଜ୍ୟପାଳ କହିଛନ୍ତି ଯେ କେଜ୍ରିଓ୍ଵାଲ ତାଙ୍କ ଦପ୍ତର କବ୍‌ଜା କରି ରଖିଥିବାରୁ ସେ ବାସଭବନରୁ ସମସ୍ତ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ଧାରଣାରେ ବସିଥିବା ଆପ୍‌ ନେତାଙ୍କୁ ବଳପୂର୍ବକୁ ହଟାଇବାକୁ ଉଦ୍ୟମ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି। ଅନଶନକୁ ମାତ୍ର ୪ ଦିନ ହୋଇଛି, ଦାବି ପୂରଣ ନହେବା ଯାଏଁ ସେମାନେ ଅନଶନ ଭାଙ୍ଗିବେ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିବା ସେ କହିଛନ୍ତି। ଅନଶନରୁ ବଳପୂର୍ବକ ଉଠାଇବାକୁ ଚେଷ୍ଟା କରାଗଲେ ପାଣି ମଧ୍ୟ ନେବେନି ବୋଲି ଆପ୍‌ ନେତା ମନିଷ ସିସୋଦିଆ ଚେତାବନୀ ଦେଇଛନ୍ତି।

ଆଜି ଦିଲ୍ଲୀ ସଚିବାଳୟରେ ବିଜେପି ବିଧାୟକମାନେ ୪୦ ଫୁଟ ଲମ୍ବର ଏକ ବ୍ୟାନର ଲଗାଇଛନ୍ତି। କୌଣସି ବିଧାୟକ ବା ପ୍ରଶାସନିକ ଅଧିକାରୀ କାର୍ଯ୍ୟରେ ଅବହେଳା କରୁନାହାନ୍ତି ବରଂ ଖୋଦ୍‌ ମୁଖ୍ୟମନ୍ତ୍ରୀ ଛୁଟିରେ ଥିବା ବ୍ୟାନରରେ ଉଲ୍ଲେଖ ରହିଛି। ଗତକାଲି କେଜ୍ରିଓ୍ଵାଲ ଦିଲ୍ଲୀ ସଙ୍କଟରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ପରେ ଉପ ରାଜ୍ୟପାଳ ବୈଜଲ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଲୋଚନା କରିଥିଲେ। ମାତ୍ର ଏଯାବତ୍‌ କୌଣସି ସମାଧାନ ପନ୍ଥା ବାହାରି ପାରିନଥିବାରୁ ଆସନ୍ତା ରବିବାର ଦିନ ଆପ୍‌ ସମର୍ଥକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ଏବେ ପ୍ରଦୂଷଣ, ଜଳ ଓ ବିଦ୍ୟୁତ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଏହାର ସମାଧାନ କରିବା ପରିବର୍ତ୍ତେ ଧାରଣାରେ ବସିବା ଲୋକଙ୍କ ସହ ବଡ଼ ପ୍ରତାରଣା ବୋଲି କଂଗ୍ରେସ ଓ ବିଜେପି ନେତାମାନେ କହିଛନ୍ତି। ଆଜିଠାରୁ ବିଜେପିର ପି. ସାହିବ ସିଂ, ମଂଜିନ୍ଦର ସିଂହ ସିରସା, ବିଜେନ୍ଦର ସିଂହ ପ୍ରମୁଖ ନେତା ଜଳ ସଙ୍କଟକୁ ବିରୋଧ କରି ଧାରଣାରେ ବସିଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୂର୍ବ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତ ଆପ୍‌ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର