ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟାର ବିକଟାଳ ରୂପ ଦେଖିବାକୁ ମିଳିଛି । ସ୍ଥିତି ଏମିତି ହୋଇଛି ମଣିଷ ତ୍ରାହି ତ୍ରାହି ଡାକୁଛି । ଉପରୁ ତୁହାକୁ ତୁହା ବର୍ଷାକୁ ତଳେ ଯମୁନା ନଦୀର ଜଳ ମାଡି ଆସୁଛି । ରାସ୍ତା ଭାସୁଛି, ଗାଡ଼ି ବୁଡିଛି, କୋଠା ବୁଡିଛି, ଘର, ଦ୍ବାର ସବୁ ଜଳବନ୍ଦୀ ପାଲଟିଛି । ଗୋଟେ ପଟେ ଜୀବନ ଯମୁନା ଜଳରେ ବନ୍ଦୀ ହୋଇଥିବା ବେଳେ ପ୍ରଶାସନିକ କଳବଳ ବି ବେହାଲ ହୋଇଛି । ସଚିବାଳୟକୁ ଛୁଇଁଛି ବନ୍ୟା ଜଳ । ଦିଲ୍ଲୀ ସରକାରଙ୍କ ଶାସନ ବ୍ୟବସ୍ଥା ଯେଉଁଠୁ ସବୁ ଚାଲେ ସେଠାରେ ଜଳ ଦେଖାଇଛି ତାର ନାଲି ଆଖି । ଖାଲି ସଚିବାଳୟ ନୁହେଁ ବିଭିନ୍ନ ସରକାରୀ ଅଫିସ ପାଣି ଘେରରେ ଥିବା ବେଳେ କଲେଜ ବି ବନ୍ୟା ପାଣିର ପାଟି ଭିତରେ ରହିଛି ।

Advertisment

ଯମୁନାର ଜଳ ରାସ୍ତାକୁ ବି ନଦୀ ସଜାଇବାକୁ ବସିଲାଣି । ନଈ ଏତେ ଫୁଲୁଛି ରାସ୍ତା ବି ନଈ ପରି ଦିଶୁଛି । ଆଉ ସେଥିରେ ଗାଡ଼ି ମଟର ଯିବା ଆସିବା କରିବା ମୁସ୍କିଲ ହେଉଛି । ସେପଟେ ବେଲା ରୋଡରେ ଅଣ୍ଟେ ଯାଏଁ ପାଣି ବଢିଛି । କଲେଜ, ଘର ସବୁ ପାଣି ଘେରରେ ଥିବା ବେଳେ ରାସ୍ତା ଦିଶୁନି । 

ଅନ୍ୟପଟେ ଅଲିପୁର ଥାନା ଅଞ୍ଚଳରେ ଥିବା ଏନଏଚ-୪୪ରେ ଥିବା ଓଭରବ୍ରିଜରେ ବିରାଟ ଗାତ ସୃଷ୍ଚି ହୋଇଛି । ଫ୍ଲାଏଓଭରର ଖଣ୍ଡେ ଅଂଶ ଦବି ଯିବା ଫଳରେ ରାସ୍ତାରେ ଏକ ଅଟୋ ଦୁର୍ଘଟଣାର ଶିକାର ହୋଇଛି ।

ଲଗାଣ ବର୍ଷାରେ ଦିଲ୍ଲୀ ସହର ୩ ଦିନ ହେବ ଅଚଳ ହୋଇଯାଇଛି ଏବଂ ଆଜି ମଧ୍ୟ ବର୍ଷା ଜାରି ରହିଥିବାରୁ ସ୍ଥିତି ବିଗୁଡ଼ୁଛି। ଦିଲ୍ଲୀ-ଏନ୍‌ସିଆର୍‌, ପଡ଼ୋଶୀ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦୀ ସମସ୍ୟା ସାଂଘାତିକ ରୂପ ନେଇଛି। ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି।