ଦିଲ୍ଲୀରେ ରେକର୍ଡ ତାତି : ତାପମାତ୍ରା ୪୮ ଡିଗ୍ରି ଛୁଇଁଲା

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଉତ୍ତର ଭାରତ ଏବେ ଗରମରେ ଜଳୁଛି। ଆଜି ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁବା ସହ ରେକର୍ଡ କରିଛି। ପୂର୍ବରୁ ଜୁନ୍‌ ମାସରେ ଦିଲ୍ଲୀରେ ତାପମାତ୍ରା କେବେ ବି ୪୮ ଡିଗ୍ରି ଛୁଇଁ ନଥିଲା। ପାଲାମ ଅଞ୍ଚଳରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପାଲାମଠାରୁ ୧୪ କିମି ଦୂର ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୪୫.୬ ଡିଗ୍ରି ଥିବା ରେକର୍ଡ କରାଯାଇଛି।

ପୂର୍ବରୁ ୨୦୧୪ ଜୁନ୍ ୯ ତାରିଖରେ ଦିଲ୍ଲୀର ତାପମାତ୍ରା ରେକର୍ଡ ୪୭.୮ ଡିଗ୍ରି ଥିଲା। ‌ଆଜି ସେହି ପୂର୍ବ ରେକର୍ଡ ଭାଙ୍ଗିଛି ବୋଲି ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ କୁହାଯାଇଛି। ସେହିଭଳି ୧୯୯୮ ମସିହା ମେ ମାସ ୨୬ ତାରିଖରେ ଦିଲ୍ଲୀରେ ତାପମାତ୍ରା ୪୮.୪ ଡିଗ୍ରି ଥିଲା, ଯାହାକି ସର୍ବକାଳୀନ ରେକର୍ଡ।

ଦିଲ୍ଲୀରେ ଆଜି ସକାଳେ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଥିଲା େବାଲି ପାଣିପାଗ ବିଜ୍ଞାନୀ‌ ଦେବେନ୍ଦ୍ର ପ୍ରଧାନ କହିଛନ୍ତି। ଜୁନ୍ ୧୨ ପରେ ତାପମାତ୍ରା କିଛିଟା ହ୍ରାସ ଘଟିପାରେ ବୋଲି ସେ କହିଛନ୍ତି। ତେବେ ରାଜସ୍ଥାନରେ ଗତ କିଛିଦିନ ତାପମାତ୍ରା ଅଧିକ ରହୁଛି। ରାଜସ୍ଥାନର ଚୁରୁ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ବୋଲି ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର