ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା କାର୍ ବିସ୍ଫୋରଣର ତଦନ୍ତରେ ବଡ଼ ସଫଳତା ମିଳିଛି। ଗତ ଚାରି ବର୍ଷ ଧରି ସକ୍ରିୟ ଥିବା ଏକ ସଂଗଠିତ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ ହୋଇଛି।ଏହି ମଡ୍ୟୁଲ୍ ପକ୍ଷରୁ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଷଡ୍‌ଯନ୍ତ୍ର ରଚାଯାଇଥିଲା। ତଦନ୍ତ ସମୟରେ ଧରାପଡ଼ିଥିବା ଡାକ୍ତରମାନଙ୍କର ଏହି ହ୍ବାଇଟ୍ କୋଲର ମଡ୍ୟୁଲ୍ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ତଦନ୍ତ ସୂଚାଇ ଦେଉଛି ଯେ, ଏହା ଏକ ସାଧାରଣ ଘଟଣା ନୁହେଁ। ଚାରି ବର୍ଷ ଧରି ସକ୍ରିୟ ଥିବା ମଡ୍ୟୁଲ୍‌ର ଏହା ଏକ ସୁଚିନ୍ତିତ କାର୍ଯ୍ୟର ଅଂଶ ଥିଲା।

Advertisment

ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍‌କୁ ଟାର୍ଗେଟ

ତଦନ୍ତରୁ ଜଣାପଡିଛି, ଗିରଫ ଅଭିଯୁକ୍ତଙ୍କ ମଡ୍ୟୁଲ୍ ଦିଲ୍ଲୀ ଓ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା

ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ସହ ଯୋଗାଯୋଗ ପାଇଁ ଭୂତ ସିମ୍ କାର୍ଡ-ଏନକ୍ରିପ୍ଟେଡ୍ ଆପ୍ସ

ଜାନୁଆରି ୪ ତାରିଖରେ ପୂର୍ବରୁ ଅଧିକାରୀମାନେ କହିଥିଲେ ଯେ, ଡାକ୍ତର ମୁଜାମ୍ମିଲ୍ ଗନାଇ, ଆଦିଲ୍ ରାଥର ଓ ଅନ୍ୟମାନଙ୍କ ସମେତ ମଡ୍ୟୁଲ୍‌ର ହ୍ୱାଇଟ୍-କୋଲର ସଦସ୍ୟମାନେ ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ଭୂତ ସିମ୍ କାର୍ଡ ଓ ଏନକ୍ରିପ୍ଟେଡ୍ ଆପ୍ସର ବ୍ୟବହାର କରିଥିଲେ। ସେମାନେ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବିଭ୍ରାନ୍ତ କରିବା ପାଇଁ ସାଧାରଣ ବ୍ୟବହାର ଓ ଗୁପ୍ତ ଯୋଗାଯୋଗ ପାଇଁ ପୃଥକ ପୃଥକ ଡିଭାଇସ୍ ଦ୍ବାରା ଡୁଆଲ୍-ଫୋନ୍ ପଦ୍ଧତି ଆପଣେଇଥିଲେ।

ଡଟ୍ ଜାରି କରିଥିଲା ନିର୍ଦ୍ଦେଶ

ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଦୂରସଂଚାର ବିଭାଗ(ଡଟ୍) ଦ୍ୱାରା ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗତ ବର୍ଷ ନଭେମ୍ବର ୨୮ ତାରିଖରେ ଡଟ୍ ଏକ ନିର୍ଦ୍ଦେଶ ଜାରି କରିଥିଲା ​​ଯେ, ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସିଗନାଲ ଭଳି ଆପ୍‌ଗୁଡ଼ିକୁ ଡିଭାଇସ୍‌ରେ ଏକ ସକ୍ରିୟ ସିମ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ। ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ ପାଇଁ ଯେଉଁ ପ୍ରକାରର ପ୍ରଣାଳୀ ବ୍ୟବହାର କରୁଥିଲେ ତାହାକୁ ବନ୍ଦ କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।

ହ୍ୱାଇଟ୍ କୋଲର ମଡ୍ୟୁଲ୍ ଚାରି ବର୍ଷ ଧରି ସକ୍ରିୟ ଥିଲା

ଗିରଫ ହୋଇଥିବା ତିନି ଜଣ ଡାକ୍ତରଙ୍କୁ ପଚରାଉଚରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହୋଇଛି। ମଡ୍ୟୁଲ୍ଚାରି ବର୍ଷ ଧରି ଗୁପ୍ତ ଭାବରେ ସକ୍ରିୟ ରହି ନିଜର ଏଜେଣ୍ଡାକୁ ଆଗକୁ ନେଉଥିଲା। ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ମଡ୍ୟୁଲ୍ ଦିଲ୍ଲୀ ସମେତ ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲା।

ଜୈଶ୍ ସହ ଲାଲକିଲ୍ଲା ବିସ୍ଫୋରଣ ଲିଙ୍କ୍

ଜୈଶ୍-ଏ-ମହମ୍ମଦ ଭଳି ସଂଗଠନ ସହିତ ମଡ୍ୟୁଲର ଲିଙ୍କ୍ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଲାଲକିଲ୍ଲା କାର ବିସ୍ଫୋରଣ ଜେଶର ଯୋଜନାର ଏକ ଅଂଶ ଥିଲା। ଅକ୍ଟୋବର ୨୦୨୫ରେ ମିଳିଥିବା ସୂଚନା ପରେ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ହୋଇଥିବା ଚଢ଼ଉ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା। ଏହା ଦ୍ବାରା ମଡ୍ୟୁଲ୍‌ର ଷଡ୍‌ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା।

ପୁଲିସର ସତର୍କତା ଯୋଗୁ ବହୁ ଆକ୍ରମଣ ଯୋଜନା ପଣ୍ଡ

ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ପୁଲିସର ସମୟୋଚିତ ସୂଚନା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ନଭେମ୍ବର-ଡିସେମ୍ବରରେ ଦିଲ୍ଲୀ, ଉତ୍ତର ପ୍ରଦେଶ ତଥା ହରିୟାଣାରେ ହେବାକୁ ଥିବାଅନେକ ସମ୍ଭାବ୍ୟ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା।

୨,୯୦୦କିଲୋ ବିସ୍ଫୋରକ ଜବତ

ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଜାଣିବାକୁ ପାଇଥିଲେ ଯେ, ମଡ୍ୟୁଲ୍ ଡାକ୍ତରୀ ପେଶାଦାର ଓ ଛାତ୍ରମାନଙ୍କ ଭଳି ହ୍ୱାଇଟ୍ କୋଲର ଆତଙ୍କବାଦୀ ଦଳକୁ ନେଇ ଗଠିତ ଥିଲା। ଏହି ମଡ୍ୟୁଲ୍ ଫରିଦାବାଦ ସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ ବିସ୍ଫୋରକ ସଂଗ୍ରହ ଓ ଆଇଇଡି ତିଆରି କରିବା ପାଇଁ ବ୍ୟବହାର କରିଥିଲା। ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା। କିଛି ସଦସ୍ୟ ମଧ୍ୟ ତାଲିମ୍ ପାଇଥିଲେ। ସେମାନଙ୍କର ତୁର୍କୀରେ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିବା ତଦନ୍ତରୁ ଜଣାପଡ଼ିଥିଲା।