ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ)କୁ ଆଜି ଏକ ବଡ଼ ସଫଳତା ମିଳିଛି। ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ଉମର ଉନ୍ ନବୀର ଘନିଷ୍ଠ ସହଯୋଗୀ ତଥା ବିସ୍ଫୋରଣରେ ବ୍ୟବହୃତ ଆଇ-୨୦ କାର୍ ଯୋଗାଇଥିବା ଅମୀର ରସିଦ୍ ଅଲୀ ଆଜି ଦିଲ୍ଲୀରୁ ଗିରଫ ହୋଇଛି। ଉମର ବିସ୍ଫୋରକ ସହ ଉକ୍ତ ଆଇ-୨୦ରେ ଲାଲକିଲ୍ଲା ନିକଟ ବ୍ୟସ୍ତବହୁଳ ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ଅମୀର ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି। ଆଇ-୨୦ କାର୍ ଅମୀର ନାମରେ କ୍ରୟ ଓ ପଞ୍ଜୀକୃତ ହୋଇଥିବା ଏନ୍ଆଇଏ ଅଧିକାରୀ କହିଛନ୍ତି। ଅମୀର ଜମ୍ମୁ-କାଶ୍ମୀରର ସାମ୍ବୁରାର ବାସିନ୍ଦା ଏବଂ ଗାଡ଼ି କ୍ରୟ ଓ ଆକ୍ରମଣ ଷଡ୍ଯନ୍ତ୍ରରେ ତା’ର ସିଧାସଳଖ ସଂପୃକ୍ତି ଥିଲା। ଏ ସଂପର୍କରେ ଅନ୍ୟ ଅଭିଯୁକ୍ତଙ୍କୁ ଜେରାରୁ ମଧ୍ୟ ଏନ୍ଆଇଏ ଅନେକ ତଥ୍ୟ ହାସଲ କରିଛି।
ଅମୀର ରସିଦ୍ ଉମର ନବୀର ନିକଟତମ ସହଯୋଗୀ ଭାବେ ଚିହ୍ନଟ ହୋଇଛି ଏବଂ ଉଭୟ କିଛି ମାସ ହେଲା ଘନିଷ୍ଠ ଭାବେ କାମ କରୁଥିଲେ। ବିସ୍ଫୋରକ ପ୍ରସ୍ତୁତିରେ ମଧ୍ୟ ତା’ର ଭୂମିକା ରହିଥିବା ସଂକ୍ରାନ୍ତରେ କେତେକ ପ୍ରମାଣ ମିଳିଛି। ସୂଚନାଯୋଗ୍ୟ, ଫରେନ୍ସିକ ବିଶ୍ଲେଷଣରୁ ଉମର ବିସ୍ଫୋରକ ଥିବା କାର୍ର ଚାଳକ ଭାବେ ଚିହ୍ନଟ ହୋଇଛି ଏବଂ ବିସ୍ଫୋରଣରେ ତା’ର ମୃତ୍ୟୁ ହୋଇଥିବା ଡିଏନ୍ଏ ରିପୋର୍ଟ ମେଳକ ପରେ ଜଣାପଡ଼ିଛି। ବିସ୍ଫୋରଣ ମାମଲାରେ ଏନ୍ଆଇଏ ୭୩ ଜଣ ସାକ୍ଷୀଙ୍କୁ ପଚରାଉଚରା କରିଥିବାବେଳେ ଉମର ନବୀର ଅନ୍ୟ ଏକ ଗାଡ଼ି ଜବତ କରିଛି। ଦିଲ୍ଲୀ, ଜମ୍ମୁ-କାଶ୍ମୀର, ହରିୟାଣା ଓ ଉତ୍ତରପ୍ରଦେଶ ପୁଲିସ୍ ଏନ୍ଆଇଏ ସହ ତାଳମେଳରେ ମିଳିତ ଭାବେ ଫରିଦାବାଦ ‘ଆତଙ୍କୀ ଡାକ୍ତର ମଡ୍ୟୁଲ୍’ର ମୂଳୋତ୍ପାଟନ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/17/hsfhfsfhxvb-2025-11-17-01-48-26.jpg)