ତୃତୀୟ ଲହରରେ ସର୍ବାଧିକ: ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୪୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୪୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତୃତୀୟ ଲହରରେ ଏହି ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୧୧,୪୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତକାଲିକାଲିର ସଂଖ୍ୟାଠାରୁ ୭% ଅଧିକ। ଗତକାଲି ଦିଲ୍ଲୀରେ ୧୦,୭୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଦିଲ୍ଲୀରେ ଏବେ ସକାରାତ୍ମକତା ହାର କମ ରହିଛି। ଜାନୁଆରି ୧୫ରେ ସକାରାତ୍ମକତା ହାର ୩୦.୬୪% ଥିବା ବେଳେ ଏବେ ତାହା ୧୬.୩୬%ରେ ପହଞ୍ଚିଛି।

ସେହିଭଳି ଦେଶରେ ଗତ  ୨୪ ଘଣ୍ଟା ମଧ୍ୟରେ ୩,୩୭,୭୦୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୪୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୯,୫୫୦ କମ୍‌ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୮୯,୦୩,୭୩୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୪୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୮,୮୮୪ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨,୪୨,୬୭୬ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୬୩,୦୧,୪୮୨। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୧,୧୩,୩୬୫। ସେହିପରି, ଦେଶରେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୧୦,୦୫୦ରେ ପହଞ୍ଚିଛି। ଗତକାଲି ଠାରୁ ଓମିକ୍ରନ୍‌ ସଂକ୍ରମଣ ୩.୬୯% ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର