ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପୁଣି ୪ଟି ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ମାମଲା ଚିହ୍ନଟ ହେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏ ଧରଣର ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଥିବା କଥା ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନାଦେଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ୨ଟି ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ଚିହ୍ନଟ ହୋଇଥିଲା। ଅର୍ଥାତ୍, ଆଜି ଦିଲ୍ଲୀରେ ସମୁଦାୟ ୬ଟି ନୂଆ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସା ନିମନ୍ତେ ୪ଜଣଙ୍କୁ ସାକେତ୍ସ୍ଥିତ ମ୍ୟାକ୍ସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୨ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ବିଦା ହୋଇଥିବା ବେଳେ ଆଉ ୧୬ଜଣ ଚିକିତ୍ସାଧୀନ ଅଛନ୍ତି।
ତେଣେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ର ମୁକାବିଲା କରିବା ଲାଗି ଦିଲ୍ଲୀ ସରକାର ପ୍ରସ୍ତୁତ ଅଛନ୍ତି। ସହରରେ ସଂକ୍ରମଣ ବୃଦ୍ଧି ପାଉଥିଲେ ବି ଲୋକେ ଛାନିଆ ହୁଅନ୍ତୁ ନାହିଁ। ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ‘ଓମିକ୍ରନ୍’ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ ଖୁବ୍ କମ୍।
ଏହି ନୂତନ ‘ଭେରିଏଣ୍ଟ୍’ କବଳରୁ ନିରାପଦ ରଖିବା ଲାଗି ଜନସାଧାରଣଙ୍କ ପାଇଁ ବୁଷ୍ଟର୍ ଟିକା ଡୋଜ୍ ଯୋଗାଇ ଦେବା ଲାଗି ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ପ୍ରଥମେ ଏହି ବୁଷ୍ଟର୍ ଡୋଜ୍ ସ୍ବାସ୍ଥ୍ୟକର୍ମୀଙ୍କୁ ଓ ପରେ ସମସ୍ତ ଦିଲ୍ଲୀବାସୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।
ଆଜି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ୫ଜଣ ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ୨ଜଣ ‘ଓମିକ୍ରନ୍’ ସଂକ୍ରମିତଙ୍କୁ ମିଶାଇ ସମଗ୍ର ଦେଶରେ ‘ଓମିକ୍ରନ୍’ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି।
ଗତ ୧୮ ଦିନ ମଧ୍ୟରେ ଦେଶର ସମୁଦାୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ଚିହ୍ନଟ କରିଥିବା ଜଣାପଡ଼ିଛି। ଭାରତରେ ପ୍ରଥମ ‘ଓମିକ୍ରନ୍’ ଚିହ୍ନଟ କରିଥିବା ରାଜ୍ୟ ହେଉଛି କର୍ଣ୍ଣାଟକ। ଡିସେମ୍ବର ୨ ତାରିଖରେ ପ୍ରଥମେ କର୍ଣ୍ଣାଟକରେ ହିଁ ଭାରତର ପ୍ରଥମ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ଚିହ୍ନଟ ହୋଇଥିଲା।
ସରକାରୀ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୨୮, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ତେଲେଙ୍ଗାନାରେ ୨୦, ଗୁଜରାଟରେ ୧୧, କେରଳରେ ୧୧, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡୀଗଡ଼ରେ ୧, ତାମିଲନାଡୁରେ ୧ ଏବଂ ପଶ୍ଚିମବଙ୍ଗରେ ୧ଟି ‘ଓମିକ୍ରନ୍’ ମାମଲା ଚିହ୍ନଟ ହୋଇଛି।