ସଂକ୍ରମଣ ବଢ଼ିବାରୁ ଦିଲ୍ଲୀରେ ବାର୍ ଓ ରେସ୍ତୋରାଁରେ ବସିବା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ିବା ପରେ ଲାଗିଲା କଟକଣା। କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଦିଲ୍ଲୀରେ ବାର୍ ଓ ରେସ୍ତୋରାଁରେ ବସିବା ଉପରେ କଟକଣା ଲଗାଇଛନ୍ତି ସରକାର। ଏବେ ଦିଲ୍ଲୀରେ ଥିବା କୌଣସି ବାର୍ ବା ରେସ୍ତୋରାଁରେ ଲୋକେ ବସି ଖାଇପାରିବେ ନାହିଁ। କେବଳ ‌ଘରକୁ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି। ଏହା ସହ ଲୋକେ ଅନଲାଇନ ଖାଦ୍ୟ ଅର୍ଡର କରିପାରିବେ।

ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଏହି ସୂଚନା ଦେଇଛନ୍ତି। ଗତକାଲି ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୨,୦୦୦ରୁ ଅଧିକ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର।

indiatoday

ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୨୨,୭୫୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ସହ ସକାରାତ୍ମକତା ହାର ୨୩.୫୩% ରେ ପହଞ୍ଚିଛି। ଏହାପୂର୍ବରୁ ଦିଲ୍ଲୀରେ ୟେଲୋ ଆଲର୍ଟ ସହିତ ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଛି। ହେଲେ କଟକଣା ସତ୍ତ୍ବେ ମଧ୍ୟ ସଂକ୍ରମଣ କମ ହେଉନଥିବାରୁ ସରକାର ଗୋଟେ ପରେ ଗୋଟେ କଟକଣା ଲଗାଇବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସତର୍କ ହେବାକୁ କହିଛନ୍ତି। ବର୍ତ୍ତମାନ ୫-୧୦% ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଦ୍ୱିତୀୟ ଲହରରେ ସକ୍ରିୟ ମାମଲାର ୨୦-୨୩%  ହସ୍ପିଟାଲରେ ଭର୍ତ୍ତି ହେଉଥିଲେ, ଯାହା ବର୍ତ୍ତମାନର ସଂଖ୍ୟାଠାରୁ ଖୁବ ଅଧିକ। ହେଲେ ସତର୍କ ନରହିଲେ ଦ୍ବିତୀୟ ଲହର ଭଳି ସ୍ଥିତି ଉପୁଜିବ ବୋଲି ସରକାର ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର