ଦିଲ୍ଲୀ ଦଙ୍ଗା ମାମଲା: ୩ ଛାତ୍ର ‌ନେତା ଜେଲ୍‌ରୁ ମୁକୁଳିଲେ

ଆଜି ସୁପ୍ରିମ୍‌ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ‘ପିଂଜରା ତୋଡ’ କାର୍ଯ୍ୟକର୍ତ୍ତା ତଥା ୩ ଛାତ୍ର ନେତା ନତାଶା ନରୱାଲ୍‌, ଦେବାଙ୍ଗନା କଲିତା ଏବଂ ଆସିଫ ଇକବଲ୍‌ ତନ୍‌ହା ଶେଷରେ ଜେଲ୍‌ରୁ ମୁକୁଳିଛନ୍ତି। ଦିଲ୍ଲୀର ଆଜି କଡ଼କଡ଼ଡୁମା କୋର୍ଟ ଉକ୍ତ ୩ କାର୍ଯ୍ୟକର୍ତ୍ତାଙ୍କୁ ଜେଲ୍‌ରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଥିଲେ। । ଗତ ୧୫ ତାରିଖରେ ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରିଥିଲେ। ୧୬ ତାରିଖ ଅପରାହ୍ନ ୧ ସୁଦ୍ଧା ସେମାନଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟ ଉପରେ ରୋକ୍‌ ଲଗାଇଥିଲା। ଦିଲ୍ଲୀ ପୁଲିସ ମଧ୍ୟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି।

ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ଆବେଦନର ଶୁଣାଣି ହେବ। ଅନ୍ୟପକ୍ଷେ ଅତିରିକ୍ତ ଜିଲ୍ଲା ବିଚାରପତି ରବିନ୍ଦ୍ର ବେଦୀ ଆଜି ୩ ଛାତ୍ର ନେତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ର ନେତାଙ୍କୁ ତୁରନ୍ତ ଜେଲ୍‌ରୁ ନଛାଡ଼ିବା ନେଇ ଦିଲ୍ଲୀ ପୁଲିସ ସେମାନଙ୍କ ସ୍ଥାୟୀ ଠିକଣା ଯାଞ୍ଚ କରିବା ସଂକ୍ରାନ୍ତ ଯେଉଁ ଯୁକ୍ତି ରଖିଥିଲା ତାକୁ କୋର୍ଟ ଖଣ୍ଡନ କରିଛନ୍ତି। କୋର୍ଟ କହିଛନ୍ତି, ପୁଲିସ ରିପୋର୍ଟ ଦାଖଲ କରିବା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଜେଲ୍‌ରେ ରହିବା ଏକ ଯଥାର୍ଥ କାରଣ ନୁହେଁ। ଜେଲ୍‌ରୁ ମୁକୁଳିବା ପରେ ଛାତ୍ରନେତାମାନେ କହିଛନ୍ତି ଯେ ସେମାନଙ୍କୁ ଜେଲ୍‌ ଭୟ ଦେଖାଇ ସରକାର ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର