ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ବିଚାରପତି ଏସ୍‌ ମୁରଲୀଧର ଦେଇଥିବା ରାୟ କେନ୍ଦ୍ର ସରକାରଙ୍କୁ ନିରାଶ କରିଥିଲା ବୋଲି କୁହାଯାଏ। ତେବେ ଏହା କାହିଁକି ସରକାରଙ୍କୁ ନିରାଶ କରିଥିଲା ତାହା ସେ ବୁଝିପାରି ନଥିଲେ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏସ୍‌ ମୁରଲୀଧର କହିଛନ୍ତି। ୨୦୨୦ ଫେବ୍ରୁଆରିରେ ବିଚାରପତି ମୁରଲୀଧର ଏକ ୩ ଜଣିଆ ଖଣ୍ଡପୀଠର ଅଧ୍ୟକ୍ଷତା କରି ଦିଲ୍ଲୀ ଦଙ୍ଗା ମାମଲାର ଶୁଣାଣି କରୁଥିଲେ। ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା କାରଣକୁ ନେଇ ତାଙ୍କ ବାସଭବନରେ ଏକ ଜରୁରୀକାଳୀନ ଶୁଣାଣି ହୋଇଥିଲା। ଦିଲ୍ଲୀ ଦଙ୍ଗା ପ୍ରଭାବିତଙ୍କ ସୁରକ୍ଷା ଏବଂ ଚିକିତ୍ସା ପାଇଁ ବିଚାରପତି ମୁରଲୀଧର ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ପରେ ତାଙ୍କୁ ତୁରନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରି ଦିଆଯାଇଥିଲା।

Advertisment

ତେବେ ବେଙ୍ଗାଲୁରୁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ତାଙ୍କୁ ଯେତେବେଳେ ଏ ସଂପର୍କରେ ପଚରାଯାଇଥିଲା ସେତେବେଳେ ବିଚାରପତି ମୁରଲୀଧର କହିଥିଲେ ଅନ୍ୟ କୌଣସି ବିଚାରପତି ମଧ୍ୟ ସମାନ କାର୍ଯ୍ୟ କରିଥାନ୍ତେ। ମୁଁ ବୁଝିପାରୁନି ସେହି ରାୟରେ ଅସୁବିଧା କଣ ଥିଲା। ଦିଲ୍ଲୀ ହାଇକୋର୍ଟରେ ମୋର ଅନ୍ୟ ଯେ‌କୌଣସି ସହଯୋଗୀ ମଧ୍ୟ ସମାନ ଭାବେ ରାୟ ରଖିଥାନ୍ତେ। ଅନ୍ୟ କେହି ଭିନ୍ନ ଢଙ୍ଗରେ କାର୍ଯ୍ୟ କରିଥାନ୍ତେ ବୋଲି ମୁଁ ଭାବୁନାହିଁ। ତେଣୁ ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିରେ କ’ଣ ପକାଇଥିଲା? ସରକାରଙ୍କ ପାଇଁ ଯଦି ସେହି ନିର୍ଦ୍ଦେଶ ଅସୁବିଧା ସୃଷ୍ଟି କରିଥିଲା ତା’ହେଲେ ଆପଣଙ୍କ ଭଳି ମୁଁ ମଧ୍ୟ କିଛି ବୁଝିପାରୁନି ବୋଲି ଅବସରପ୍ରାପ୍ତ ବିଚାରପତି ମୁରଲୀଧର କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟରେ ବିଚାରପତି ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ। ତାଙ୍କ କ୍ୟାରିୟରରେ ସେ ଏକାଧିକ ରାୟ ପ୍ରଦାନ କରିଛନ୍ତି। ତେବେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ନପାଇବାର କାରଣ ହେଲା ସରକାରଙ୍କ ବିରୋଧରେ ଦେଇଥିବା ପ୍ରତିକୂଳ ରାୟ ବୋଲି କୁହାଯାଏ।