୨୦୨୦ ଦିଲ୍ଲୀ ଦଙ୍ଗା: ଶହେ ଠେକୁଆଙ୍କୁ ମିଶାଇ ଘୋଡ଼ାଟିଏ କରି ହେବ ନାହିଁ, ଶହେ ସନ୍ଦିଗ୍ଧଙ୍କୁ ମିଶାଇଲେ ପ୍ରମାଣ ହୋଇପାରିବ ନାହିଁ-ଅଦାଲତ

ନୂଆଦିଲ୍ଲୀ: ଶହେ ଠେକୁଆଙ୍କୁ ମିଶାଇ ଘୋଡ଼ାଟିଏ କରି ହେବ ନାହିଁ, ଶହେ ସନ୍ଦିଗ୍ଧଙ୍କୁ ମିଶାଇଲେ ପ୍ରମାଣ ହୋଇପାରିବ ନାହିଁ ବୋଲି ଖ୍ୟାତନାମା ରୁଷୀୟ ଲେଖକ ଫିଓଦୋର୍‌ ଦୋସ୍ତୋୟେଭ୍‌ସ୍କିଙ୍କ ଉପନ୍ୟାସ ‘ଅପରାଧ ଓ ଦଣ୍ଡ’ରୁ ଉପରୋକ୍ତ ଧାଡ଼ିଟି ଉଦ୍ଧୃତ କରି ଦିଲ୍ଲୀର ଏକ ଅଦାଲତ ସୋମବାର ଦିନ କହିଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ନରହତ୍ୟା ଉଦ୍ୟମରେ ଅଭିଯୁକ୍ତ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୁକ୍ତ କରିବା ସମୟରେ ଅଦାଲତ ଉପରୋକ୍ତ କଥା କହିଛନ୍ତି।

୨୦୨୦ ଫେବ୍ରୁଆରି ୨୫ ତାରିଖରେ ‘େଓ୍ଵଲ୍‌କମ୍‌’ ଅଞ୍ଚଳରେ ରାହୁଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ଆହତ କରିଥିବା ଅଭିଯୋଗରେ ଦୁହେଁ ଗିରଫ ହୋଇଥିଲେ।

Image Courtesy of The Times of India

ଅତିରିକ୍ତ ସେସନ୍‌ ଜଜ୍‌ ଅମିତାଭ ରାଓ୍ଵତ ପଚାରିଥିଲେ, ସ୍ୱୟଂ ପୀଡ଼ିତ ପୁଲିସ ତଦନ୍ତରେ ଉପସ୍ଥିତ ନ ଥିଲେ। ପୁଲିସ ମଧ୍ୟ ତାଙ୍କୁ କେବେ ଦେଖି ନାହିଁ। ତେବେ, କେମିତି ଅଭିଯୁକ୍ତ ଇମ୍ରାନ୍‌ ଏବଂ ବାବୁଙ୍କ ବିରୋଧରେ ନରହତ୍ୟା ଉଦ୍ୟମ ଅପରାଧ ମାମଲା ରୁଜୁ କରାଗଲା?

ରାହୁଲ୍‌ ଗୁଳିଚୋଟରେ ଆହତ ହୋଇଛନ୍ତି ବୋଲି କୁହାଯାଉଛି, କିନ୍ତୁ ସେ କାହାନ୍ତି? ତାଙ୍କର ବୟାନ୍‌ ରେକର୍ଡରେ ନାହିଁ। ସେ ଗୁଳିଚୋଟ କିଂବା ଉତ୍ତ୍ୟକ୍ତ ଜନତା ବା ଦଙ୍ଗା ଉପରେ ବୟାନ ଦେଇ ନାହାନ୍ତି। ପୁଲିସ ଡାକ୍ତରଖାନରେ ପହଞ୍ଚିବା ପୂର୍ବରୁ ପୀଡ଼ିତ ରାହୁଲ୍‌ ଅନ୍ତର୍ଦ୍ଧାନ ହୋଇଯାଇଥିଲା।

ତାଙ୍କ ଦେହରେ ଗୁଳିଚୋଟ ଲାଗିଥିଲା ବୋଲି କେମିତି ପ୍ରମାଣିତ ହେଲା? ଦୀର୍ଘ ଦିନ ତଦନ୍ତ ପରେ ପୁଲିସ ଜାଣିଲା ଯେ, ରାହୁଲ୍‌ ତାଙ୍କର ‘ମେଡିକୋ ଲିଗାଲ୍‌ କେସ୍‌’ରେ ଭୁଲ୍‌ ଠିକଣା ଏବଂ ଭୁଲ୍‌ ମୋବାଇଲ୍‌ ଫୋନ୍‌ ନମ୍ବର ଦେଇଥିଲେ। ତେଣୁ ଅଭିଯୁକ୍ତମାନଙ୍କ ବିରୋଧରେ ‘ଆଇପିସି ଧାରା ୩୦୭’ କିଭଳି ଲାଗୁ ହେଲା ବୋଲି ରାୟ ଦେବା ବେଳେ ବିଚାରପତି ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର