ନୂଆଦିଲ୍ଲୀ: ପ୍ରଚଣ୍ଡ ବିସ୍ଫୋରଣରେ ଆଜି ଦିଲ୍ଲୀ ଥରିଉଠିଛି। ଐତିହାସିକ ଲାଲକିଲ୍ଲା ନିକଟରେ  ଏକ କାର୍‌ରେ ଅତ୍ୟନ୍ତ ଶକ୍ତିଶାଳୀ ବିସ୍ଫୋରଣରେ ଅତିକମ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ସନ୍ଧ୍ୟା ପ୍ରାୟ ୬:୫୨ ସମୟରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଘଟିଥିଲା। ଏହା ଚାନ୍ଦନୀଚୌକ ଅଞ୍ଚଳରେ ଭୀଷଣ ଆତଙ୍କ ସୃଷ୍ଟି କରିଥିବା ବେଳେ ନିଆଁ ଓ ପ୍ରବଳ ଧୂଆଁ ଭିତରେ ପର୍ଯ୍ୟଟକ, ଯାତ୍ରୀ ଓ ସ୍ଥାନୀୟ ଲୋକେ ପ୍ରାଣ ବିକଳରେ ଦୌଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ଏହାକୁ ଅତ୍ୟନ୍ତ ଆତଙ୍କଜନକ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ବିସ୍ଫୋଣରେ ଅନେକ ଯାନବାହନ ଓ  ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣରେ ୩-୪ଟି ଗାଡ଼ି ଜଳିଯାଇଛି ଏବଂ ସମଗ୍ର ଅଞ୍ଚଳକୁ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଘେରାବନ୍ଦୀରେ ରଖି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ବିସ୍ଫୋରଣର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)କୁ ଦିଆଯାଇଛି।

Advertisment

ଅଗ୍ନିଶମ ସେବା ବାହିନୀ ସନ୍ଧ୍ୟା ୬ଟା ୫୫ରେ ଜରୁରୀ କଲ୍ ପାଇ ସାତୋଟି ଦମକଳ ଓ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଇଥିଲା। ଅଗ୍ନିନିର୍ବାପକମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ନିଆଁକୁ ଆୟତ୍ତ କରିବାକୁ ସଂଘର୍ଷ କରିଥିଲେ। ରାତି ୮:୩୦ ସୁଦ୍ଧା ନିଆଁ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ବିସ୍ଫୋରଣ ଆଶଙ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଆହତମାନଙ୍କ ମଧ୍ୟରେ ଅନେକ ମେଟ୍ରୋ ଯାତ୍ରୀ ଓ ସ୍ଥାନୀୟ ବ୍ୟବସାୟୀ ଅଛନ୍ତି।  ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ (ଏଲ୍‌ଏନ୍‌ଜେପି) ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସମସ୍ତ ମୃତଦେହ ମଧ୍ୟ ହସ୍ପିଟାଲରେ ପହଞ୍ଚିଛି। ଏଲ୍‌ଏନ୍‌ଜେପିରେ ଅତିକମ୍‌ରେ ୧୪ ଜଣ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ପହଞ୍ଚି ପୀଡ଼ିତମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ଫୋରଣରେ ମୃତକଙ୍କ ପରିବାର ପାଇଁ ଗଭୀର ସମ୍ବେଦନା ପ୍ରକଟ କରିଛନ୍ତି ଏବଂ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। 

ଦିଲ୍ଲୀକୁ ଦୋହଲାଇ ଦେବାକୁ ଷଡ୍‌ଯନ୍ତ୍ର

ଆଜିର ଦିଲ୍ଲୀ ବିସ୍ଫୋରଣ ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଘଟିଛି। ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ, ହରିୟାଣାର ଫରିଦାବାଦରେ ପୋଲିସ ମୁଜାମ୍ମିଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ୍‌ ଜବତ କରିଥିଲା ଏବଂ ଏହାକୁ ନେଇ ସମସ୍ତ ସୁରକ୍ଷା ଏଜେନ୍ସି ତତ୍ପର ହୋଇଉଠିଥିଲେ। ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ଦିଲ୍ଲୀକୁ ଟାର୍ଗେଟ ପାଇଁ ଏକ ବଡ଼ ଷଡ୍‌ଯନ୍ତ୍ରର ଅଂଶ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗିରଫ ଆତଙ୍କବାଦୀ ଓ ସେମାନଙ୍କଠାରୁ ମିଳିଥିବା ପ୍ରଚୁର ବିସ୍ଫୋରକ ସହ ଏହି ଘଟଣାର ସିଧାସଳଖ ସଂପର୍କ ଅଛି କି ନାହିଁ ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଏୟାରପୋର୍ଟ, ରେଳଷ୍ଟେସନରେ ସୁରକ୍ଷା ବଢ଼ାଇ ଦିଆଯାଇଥିବା ବେଳେ ଇଣ୍ଡିଆ ଗେଟ୍‌, କୁତୁବ ମିନାର ଭଳି ସ୍ମାରକୀ ସ୍ଥଳରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି।

୩୨୦୦ କେଜି ବୋମା ତିଆରି ରାସାୟନିକ ଜବତ, ମହିଳା ଡାକ୍ତରଙ୍କ କାର୍‌ରୁ ମିଳିଲା ରାଇଫଲ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଓ ହରିୟାଣା ପୁଲିସର ଏକ ମିଳିତ ଟିମ୍ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ କରିବା ସହ ହରିୟାଣାର ଫରିଦାବାଦସ୍ଥିତ ଏକ ମେଡିକାଲ୍ କଲେଜ ସହ ଜଡ଼ିତ ଡାକ୍ତରଙ୍କଠାରୁ ୩୨୦୦ କିଲୋଗ୍ରାମ୍‌ରୁ ଅଧିକ ସନ୍ଦିଗ୍ଧ ଆମୋନିୟମ୍ ନାଇଟ୍ରେଟ୍, ବିସ୍ଫୋରକ ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ, ଏକ ଆସଲ୍ଟ ରାଇଫଲ୍ ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଅଧିକାରୀଙ୍କ କହିବା ଅନୁସାରେ, ୩୬୦ କିଲୋଗ୍ରାମ୍ ଆମୋନିୟମ୍ ନାଇଟ୍ରେଟ୍ ଜବତ ହେବା ପରେ ଅତିରିକ୍ତ ୨,୯୦୦ କିଲୋଗ୍ରାମ୍ ବିସ୍ଫୋରକ ତିଆରି ରାସାୟନିକ ଜବତ କରାଯାଇଛି।

ଉଦ୍ଧାର ହୋଇଥିବା ସାମଗ୍ରୀରୁ ଶହ ଶହ ଶକ୍ତିଶାଳୀ ବୋମା ତିଆରି କରି ଦିଲ୍ଲୀକୁ ଆତଙ୍କିତ କରିବା ପାଇଁ ଷଡ୍‌ଯନ୍ତ୍ର କରାଯାଇଥିଲା। ରବିବାର ଅଲ୍ ଫଲାହ ହସ୍ପିଟାଲ୍ ନିକଟରେ ଭଡ଼ାରେ ନିଆଯାଇଥିବା ଏକ ଘରୁ ପୁଲିସ ରାସାୟନିକ ପଦାର୍ଥ ଜବତ କରିବା ପରେ ମେଡିକାଲ୍ କଲେଜରେ କାର୍ଯ୍ୟରତ ଡାକ୍ତର ମୁଜାମିଲ୍ ଶକିଲଙ୍କୁ ଗିରଫ କରାଯାଇଥିଲା। ସେହି ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତରଙ୍କ କାର୍‌ରୁ ଏକ କାରୋମ କକ୍ ଆସଲ୍ଟ ରାଇଫଲ୍‌ ଓ ଜୀବନ୍ତ ଗୁଳି ମଧ୍ୟ ମିଳିଥିଲା। ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଉକ୍ତ ମହିଳା ଜଣକ ଲକ୍ଷ୍ନୌର ଲାଲବାଗର ବାସିନ୍ଦା ଡାକ୍ତର ଶାହିନ ସାହିଦ ବୋଲି ଜଣାପଡ଼ିଛି। ଅଧିକାରୀଙ୍କ କହିବା ଅନୁସାରେ, ଡାକ୍ତର ଶାହିନଙ୍କ କାର୍‌କୁ ଡାକ୍ତର ମୁଜାମିଲ ବ୍ୟବହାର କରୁଥିଲେ। ଶ୍ରୀନଗରରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ ସମର୍ଥନ କରି ପୋଷ୍ଟର ଲଗାଇବା ଅଭିଯୋଗରେ ଅନ୍ୟ ଜଣେ ଡାକ୍ତର ଆଦିଲ ଅହମଦ ରାଥରଙ୍କୁ ଉତ୍ତରପ୍ରଦେଶର ସାହାରନପୁରରୁ ଗିରଫ କରାଯାଇଥିଲା। ତାଙ୍କୁ ପଚରାଉଚରା ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂତ୍ରକୁ ଆଧାର କରି ରବିବାରର ଚଢ଼ାଉ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଫରିଦାବାଦର ଏକ ମସଜିଦର ଜଣେ ଇମାମ୍ (ମୁଖ୍ୟ ଧର୍ମଗୁରୁ) ଇସ୍ତିୟାକ୍ ମୁଜାମିଲଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ତାଙ୍କୁ ମଧ୍ୟ ଅନୁସନ୍ଧାନକାରୀ ଦଳ ଗିରଫ କରିଛି। ବର୍ତ୍ତମାନ ଫରିଦାବାଦ ଓ ଏହାର ଆଖପାଖରେ ଅନ୍ୟ ଜଣେ ଡାକ୍ତରଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି।

ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ତିନୋଟି ମାଗାଜିନ୍ ଓ ୮୩ ଜୀବନ୍ତ ଗୁଳି ସହିତ ଗୋଟିଏ ଆସଲ୍ଟ ରାଇଫଲ୍, ଆଠଟି ଜୀବନ୍ତ ଗୁଳି ସହିତ ଗୋଟିଏ ପିସ୍ତଲ, ଦୁଇଟି ଖାଲି କାର୍ଟ୍ରିଜ୍, ଦୁଇଟି ଅତିରିକ୍ତ ମାଗାଜିନ୍, ଆଠଟି ବଡ଼ ସୁଟକେସ୍, ଚାରୋଟି ଛୋଟ ସୁଟକେସ୍ ଏବଂ ବିସ୍ଫୋରକ ରାସାୟନିକ ଅନ୍ତର୍ଭୁକ୍ତ। ପୁଲିସ ବ୍ୟାଟେରି, ୨୪ଟି ରିମୋଟ୍ କଣ୍ଟ୍ରୋଲ୍, ୫ କିଲୋଗ୍ରାମ୍ ଭାରୀ ଧାତୁ, ୱାକିଟକ୍ ସେଟ୍, ବୈଦ୍ୟୁତିକ ତାର ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ସହିତ ୨୦ଟି ଟାଇମର୍ ଜବତ କରିଛି। ମହିଳା ଡାକ୍ତରଙ୍କ ମାରୁତି ସ୍ୱିଫ୍ଟ କାର୍‌କୁ ଜବତ କରାଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଡାକ୍ତର ସକିଲ ଫରିଦାବାଦର ଧୋଜ ଅଞ୍ଚଳରେ ଏକ କୋଠରି ଭଡ଼ା ନେଇଥିଲେ, ଯେଉଁଠାରେ ଆମୋନିୟମ୍ ନାଇଟ୍ରେଟ୍ ଗଚ୍ଛିତ ଥିଲା। ପ୍ରାୟ ୧୫ ଦିନ ତଳେ ବିତରଣ କରାଯାଇଥିବା ଏହି ରାସାୟନିକ ପଦାର୍ଥକୁ ଆଠଟି ବଡ଼ ଓ ଚାରୋଟି ଛୋଟ ସୁଟକେସରେ ଲୁଚାଇ ରଖାଯାଇଥିଲା। ଏହା ପୂର୍ବରୁ ପୁଲିସ କାଶ୍ମୀର ଉପତ୍ୟକାରେ ଥିବା ଡାକ୍ତର ରାଥରଙ୍କ ଏକ ଲକରରୁ ଏକ ଏକେ-୪୭ ରାଇଫଲ ଓ ଗୁଳିଗୋଳା ଜବତ କରିଥିଲା। ଫରିଦାବାଦ କମିସନର ସତ୍ୟେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ, ଶ୍ରୀନଗରରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ ସମର୍ଥନ କରୁଥିବା ପୋଷ୍ଟର ଲଗାଇବା ମାମଲାରେ ସକିଲଙ୍କୁ ମଧ୍ୟ ଖୋଜା ଚାଲିଥିଲା।

ଅଧିକାରୀମାନେ କହିଛନ୍ତି ଯେ ଫରିଦାବାଦରେ ଏହି ଗିରଫଦାରୀ ଗତ କିଛି ଦିନ ଧରି ଚାଲିଥିବା ଏକ ବୃହତ୍ ଆତଙ୍କବାଦ ବିରୋଧୀ ଅଭିଯାନର ଏକ ଅଂଶ, ଯାହାକୁ ଜୈସ-ଏ-ମହମ୍ମଦ (ଜେଏମ୍) ଓ ଅନସାର ଗଜୱାତ-ଉଲ୍-ହିନ୍ଦ୍ (ଏଜିୟୁଏଚ୍) ସହ ଜଡ଼ିତ ‘ହ୍ୱାଇଟ୍ କଲାର’ ଆତଙ୍କବାଦୀ ଇକୋସିଷ୍ଟମ୍’ ବୋଲି ପୁଲିସ ବର୍ଣ୍ଣନା କରିଛି। ଏହି ଚଢ଼ଉରେ ମୁଖ୍ୟତଃ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରୁ ଏକାଧିକ ଗିରଫଦାରୀ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନର ଧାରା ୭ ଓ ୨୫ ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ (ୟୁଏପିଏ)ର ଧାରା ୧୩, ୨୮, ୩୮ ଓ ୩୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଶାହଙ୍କୁ ତଦାରଖ ନିର୍ଦ୍ଦେଶ ଦେଲେ ମୋଦୀ

ଦିଲ୍ଲୀ ବିସ୍ଫୋରଣ ଏବଂ ପରବର୍ତ୍ତୀ ସୁରକ୍ଷା ସ୍ଥିତି ତଦାରଖ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ସୁରକ୍ଷା ଅଧକାରୀଙ୍କ ସହ ଶାହ ଆଲୋଚନା କରିଥିବା ବେଳେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ଜରୁରି କ୍ୟାବିନେଟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହା ଆମ ରାଜଧାନୀର ଛାତି ଉପରେ ଏକ ବଡ଼ ଆଘାତ, କିନ୍ତୁ ଆମେ ଭୟକୁ ପ୍ରଶ୍ରୟ ଦେବୁ ନାହିଁ।’ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିସ୍ଫୋରଣକୁ ଅତି ଗମ୍ଭୀର ଓ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି।

ମେଟ୍ରୋ ସେବା ବନ୍ଦ, ଏନ୍‌ଏସ୍‌ଜିର ମକ୍‌ଡ୍ରିଲ୍‌

ଦିଲ୍ଲୀ ପୁଲିସ ବିସ୍ଫୋରଣ ସ୍ଥଳର ୧ କିମି ପରିସର ପର୍ଯ୍ୟନ୍ତ ଅବରୋଧ କରି ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କମାଣ୍ଡୋ ମୁତୟନ ହୋଇଥିବା ବେଳେ ଏନ୍‌ଆଇଏ ସମେତ ୫ଟି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରୁଛନ୍ତି। ସ୍ପେସାଲ ସେଲ୍‌ ଏନ୍‌ଆଇଏ ଫୋରେନ୍‌ସିକ ଟିମ୍ ଘଟଣାସ୍ଥଳରେ ବିସ୍ଫୋରକ ପଦାର୍ଥର ଅବଶେଷ ସଂଗ୍ରହ କରୁଛନ୍ତି। ମାମଲାର ଗମ୍ଭୀରତାକୁ ଦେଖି ଦିଲ୍ଲୀରେ ମେଟ୍ରୋ ସେବା 
ବନ୍ଦ କରାଯାଇଛି। ଅନେକ  ପ୍ରମୁଖ ରାସ୍ତାରେ ଯାତାୟାତ ବନ୍ଦ କରାଯାଇଥିବା ବେଳେ ଶତାଧିକ ସମ୍ଭେଦନଶୀଳ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ କରାଯାଇଛି। ଉତ୍ତର ଦିଲ୍ଲୀର ଡେପୁଟି କମିସନର ମନୋଜ ମୀନା କହିଛନ୍ତି ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ତେବେ ବିସ୍ଫୋରଣରେ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍‌ (ଆଇଇଡି) ବ୍ୟବହାର ଆଶଙ୍କା ବଳବତ୍ତର ହେଉଥିବାରୁ ଏହି ଦିଗ ଉପରେ ଫୋକସ୍‌ ରହିଛି। ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଦିଲ୍ଲୀରେ ମକ୍‌ଡ୍ରିଲ୍‌ କରୁଛି।