ନୂଆଦିଲ୍ଲୀ: ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି। ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହି ଧମକପୂର୍ଣ୍ଣ କଲ୍ ସକାଳ ସାଢ଼େ ୮ରୁ ପୂର୍ବାହ୍ନ ୯ଟା ମଧ୍ୟରେ ଆସିଥିଲା। ଫଳରେ ସ୍କୁଲ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ହୋଇଯାଇଥିଲେ। ଧମକ ପାଇବା ପରେ, ସମ୍ପୃକ୍ତ ସ୍କୁଲଗୁଡ଼ିକ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ, ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ପୁଙ୍ଖାନୁପୁଙ୍ଖ ତଲାସୀ ଆରମ୍ଭ କରିଥିଲେ।
ଧମକକୁ ଗମ୍ଭୀରତାର ସହ ନେଇ ଅନେକ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। କିଛି ସ୍କୁଲ ଛୁଟି ଘୋଷଣା କରିଥିଲେ। ଏନେଇ ଅଭିଭାବକମାନଙ୍କୁ ମଧ୍ୟ ତୁରନ୍ତ ସୂଚନା ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ କୌଣସି ସ୍କୁଲ ପରିସରରେ ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ପଦାର୍ଥ ମିଳିନାହିଁ। ତଥାପି, ପୁଲିସ ଏହି ଫୋନ୍କୁ ହାଲୁକା ଭାବରେ ନେଉନାହିଁ। ଏହାକୁ ଏକ ମିଥ୍ୟା ଖବର ବୋଲି ଧରି ନେଉଛି ଓ ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ କଲ୍ର ଉତ୍ସ ଓ କଲ୍ କରିଥିବା ବ୍ୟକ୍ତିଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ସାଇବର ୟୁନିଟ୍ ତଥା ବୈଷୟିକ ଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।
ସଂସଦ ଭବନକୁ ଉଡ଼ାଇବାକୁ ଧମକ
ଏହି ଇମେଲ୍ରେ କେବଳ ସ୍କୁଲ୍ ନୁହେଁ ବରଂ ଭାରତୀୟ ଗଣତନ୍ତ୍ରର କେନ୍ଦ୍ର ସଂସଦ ଭବନକୁ ମଧ୍ୟ ଟାର୍ଗେଟ୍ କରିବାକୁ କୁହାଯାଇଛି। ପ୍ରେରକ ଲେଖିଛନ୍ତି ଯେ ଫେବ୍ରୁଆରି ୧୩ ତାରିଖ ପୂର୍ବାହ୍ନ ୧:୧୧ ସମୟରେ ସଂସଦରେ ଏକ ବୋମା ବିସ୍ଫୋରଣ ହେବ। ଇମେଲ୍ରେ ସଂସଦକୁ ହିନ୍ଦୁସ୍ତାନୀ ସଂସଦ ବୋଲି ଉଲ୍ଲେଖ କରାଯାଇଛି ଓ ଅଫଜଲ୍ ଗୁରୁଙ୍କ ସ୍ମୃତିରେ ବୋମା ବିସ୍ଫୋରଣ କରିବାକୁ କୁହାଯାଇଛି। ଏହି ଧମକ ପରେ, ସଂସଦ ପରିସରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି।
ଇମେଲ୍ ପାଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ଲୋରେଟୋ କନଭେଣ୍ଟ ସ୍କୁଲ (ଦିଲ୍ଲୀ କ୍ୟାଣ୍ଟ), କେମ୍ବ୍ରିଜ୍ ସ୍କୁଲ (ଶ୍ରୀ ନିବାସପୁରୀ ଏବଂ ଏନ୍ଏଫ୍ସି), ବେଦବ୍ୟାସ ଇଣ୍ଟରନ୍ୟାସନାଲ୍/ବେଦାନ୍ତ/ବେଦାନ୍ତେଶ୍ୱର ସ୍କୁଲ (ରୋହିଣୀ), ଦି ଇଣ୍ଡିଆନ୍ ସ୍କୁଲ (ସାଦିକ ନଗର), ଏୟାର ଫୋର୍ସ ସ୍କୁଲ (ଲୋଧି ରୋଡ୍ ଏବଂ ସୁବ୍ରତୋ ପାର୍କ), କେଆର ମଙ୍ଗଳମ୍ ସ୍କୁଲ ଏବଂ ବାଲ୍ ଭାରତୀ ସ୍କୁଲ (ରୋହିଣୀ) ଆଦି ରହିଛନ୍ତି। ଇମେଲ୍ ଦାବି କରିଥିଲା ​​, ସୋମବାର ପୂର୍ବାହ୍ନ ୧:୧୧ ସମୟରେ ଏହି ସ୍କୁଲଗୁଡ଼ିକରେ ବିସ୍ଫୋରଣ ହେବ।
ସଂସଦ ଓ ସ୍କୁଲ ପାଇଁ ମେଲ୍ ଧମକ ଖଲିସ୍ତାନ ନ୍ୟାସନାଲ ଆର୍ମିର ନାମ ଉଲ୍ଲେଖ
ଇମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଖଲିସ୍ତାନ ନ୍ୟାସନାଲ୍ ଆର୍ମିର ସଦସ୍ୟ ଭାବରେ ପରିଚୟ ଦେଇଛନ୍ତି। ଇମେଲ୍ରେ ଦୁଇଟି ନିର୍ଦ୍ଦିଷ୍ଟ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ତାହା ହେଉଛି ଗୁରନାଖ ସିଂହ ଓ ରୁକନ୍ ଶାହୱାଲା। ଏହା ବ୍ୟତୀତ, ଇମେଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଖଲିସ୍ତାନର ଶତ୍ରୁ ଭାବରେ ବର୍ଣ୍ଣନା କରାଯାଇଛି। ଇମେଲ୍ରେ ବାରମ୍ବାର ଲେଖାଯାଇଛି ଯେ, ପଞ୍ଜାବ ହେଉଛି ଖଲିସ୍ତାନ ଏବେ ଦିଲ୍ଲୀ ଖଲିସ୍ତାନ ହୋଇଯିବ।
ପୂର୍ବରୁ ମଧ୍ୟ ଦିଲ୍ଲୀ ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍କୁଲ ତଥା ସରକାରୀ କୋଠାକୁ ବୋମାରେ ଉଡ଼ାଇଦେବା ନେଇ ମିଥ୍ୟା ଧମକ ମିଳିଛି। ଏହାର ଉଦ୍ଦେଶ୍ୟ ଆତଙ୍କ ପ୍ରସାର କରିବା। ଦିଲ୍ଲୀ ପୁଲିସ ସମସ୍ତ ପ୍ରଭାବିତ ସ୍କୁଲର ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦର୍ଶାଇ ଗୁଜବକୁ ଅଣଦେଖା କରିବାକୁ ଅଭିଭାବକ ଓ ଜନସାଧାରଣଙ୍କୁ ନିବେଦନ କରିଛି।
ଆହୁରି ପଢ଼ନ୍ତୁ: Greenland Geopolitics: ଗ୍ରିନ୍ଲାଣ୍ଡ ଭୂ-ରାଜନୀତି: ଫ୍ରାନ୍ସ-କାନାଡା ଖୋଲିଲେ ଦୂତାବାସ, ଟ୍ରମ୍ପଙ୍କ ମନ୍ତବ୍ୟ ଯୋଗୁ ଛକାପଞ୍ଝା ସ୍ଥିତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/09/threat-to-blow-up-nine-schools-2026-02-09-12-24-55.png)