କୃଷି ଆଇନକୁ ବିରୋଧ କରି ସଂସଦ ଭବନ ଆଗରେ ଆଜିଠାରୁ କୃଷକମାନଙ୍କ ଧାରଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ୮ ମାସ ହେବ କୃଷକ ସଂଗଠନମାନେ ଧାରଣାରେ ବସିଛନ୍ତି । ଏହି କ୍ରମରେ ଏବେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ କୃଷକମାନେ ସଂସଦ ଭବନ ଆଗରେ ଆଜିଠାରୁ ଧାରଣାରେ ବସୁଥିବା କୁହାଯାଇଛି । ଦିଲ୍ଲୀର ଜନ୍ତର ମନ୍ତରଠାରେ ଦୈନିକ ୨୦୦ କୃଷକ ଧାରଣାରେ ବସିବେ । କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଧାରଣାର ନାମ ‘କିଷାନ ସଂସଦ’ ରଖିଛନ୍ତି । ଅନ୍ୟପଟେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ଦେଖି ସିଂଘୁ ସୀମାରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ପୂରା ଅଞ୍ଚଳକୁ ପୁଲିସ ସୁରକ୍ଷାବଳ ଭିତରେ ରଖିଥିବା ଦେଖିବାକୁ ମିଳିଛି ।

ପୁଲିସର ସୂଚନା ମୁତାବକ ୨୦୦ କୃଷକ ବସ୍ ମାଧ୍ୟମରେ ସିଂଘୁ ସୀମାରୁ ଜନ୍ତର ମନ୍ତର ଆସୁଛନ୍ତି । ସେମାନେ ସକାଳ ୧୧ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କୁହାଯାଇଛି । ଅନ୍ୟପଟେ କୋଭିଡ କାଳରେ ଧାରଣା ହେଉଥିବାରୁ ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସରକାରଙ୍କୁ ଏକ ଶପଥ ପତ୍ର ଦେଇ ବିକ୍ଷୋଭ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରାଯିବ ବୋଲି କୁହାଯାଇଛି ।

The New York Times

ସେପଟେ ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ଲିଖିତ ଅନୁମତି ଦିଆଯାଇ ନାହିଁ । କେବଳ ଧାରଣା ପ୍ରଦର୍ଶନ ପାଇଁ ଔପଚାରିକ ଅନୁମତି ମିଳିଛି । ଏହି ଅନୁମତି ମୁତାବକ ଆଜି ଠାରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଦୈନିକ ୨୦୦ କୃଷକ ସକାଳ ୧୧ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣାରେ ବସିପାରିବେ । ଅନ୍ୟପଟେ ସଂସଦ ଭବନ ଭିତରେ କଂଗ୍ରେସ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର ଦାବି କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

ସମ୍ବନ୍ଧିତ ଖବର