ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ: ଯଦି ପାରୁନ, ଲକ୍‌ଡାଉନ୍‌ କର

ଘରେ ବି ମାସ୍କ୍‌ ପିନ୍ଧିବାକୁ ବାଧ୍ୟ ହେଉଛୁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଲୋକେ ଅଣନିଶ୍ବାସୀ ହେଲେଣି। ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିବା ବେଳେ ପ୍ରାୟ ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ସହରରେ ଧୂଆଁ ମିଶ୍ରିତ ଘନ କୁହୁଡ଼ି ଯୋଗୁଁ ପରିସ୍ଥିତି ବେଶୀ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଯେଉଁ ସାଂଘାତିକ ସ୍ଥିତି ଉପୁଜିଛି ସେଥିପାଇଁ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମ୍‌ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର କେଉଁ ସବୁ ଜରୁରୀ ପଦ‌କ୍ଷେପ ଗ୍ରହଣ କରିବା ପାଇଁ ଯୋଜନା କରିଛନ୍ତି ତାହାର ଏକ ବିସ୍ତୃତ ରିପୋର୍ଟ ସୋମବାର କୋର୍ଟରେ ଦାଖଲ କରିବା ପାଇଁ ପ୍ରଧାନ ବିଚାରପତି କହିଛନ୍ତି। ତେବେ ୨/୩ ଦିନ ମଧ୍ୟରେ ପ୍ରଦୂଷଣ କମ୍‌ କରିବା ପାଇଁ ଦିଲ୍ଲୀରେ ୨ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ନେଇ ବିଚାରବିମର୍ଶ କରିବାକୁ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ ସହରରେ ବାୟୁର ମାନ ଅତି ଖରାପ୍‌ ସ୍ତରକୁ ଯିବା ଘଟଣାରେ ଚିନ୍ତା ପ୍ରକଟ କରି ଦିଲ୍ଲୀର ଜଣେ ୧୭ ବର୍ଷୀୟ ଛାତ୍ର ଆଦିତ୍ୟ ଦୁବେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଆଜି ଏହି ଆବେଦନର ଶୁଣାଣି କରି ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ଏବେ ପରିସ୍ଥିତି କେତେ ଖରାପ ହୋଇଯାଇଛି ତାହା ଆମେ ଦେଖୁଛୁ। ଆମେ ଘରେ ରହିଲେ ବି ମାସ୍କ ପିନ୍ଧିବା ପାଇଁ ବାଧ୍ୟ ହେଉଛୁ। ଆଗାମୀ ୨/୩ ଦିନ ମଧ୍ୟରେ ଦିଲ୍ଲୀରେ ବାୟୁର ମାନ ଆହୁରି ଖରାପ ହୋଇଯିବ। ତେଣୁ ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ହେବ। ପ୍ରଧାନ ବିଚାରପତି କହିଛନ୍ତି, ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ ) ୫୦୦ରୁ ୨୦୦କୁ କିଭଳି କମାଯିବ ସେ ନେଇ ତୁରନ୍ତ ଫଳପ୍ରଦ ପଦକ୍ଷେପ ନେବା ଜରୁରୀ। ଦୁଇ ଦିନିଆ ଲକ୍‌ଡାଉନ୍‌ ସଂକ୍ରାନ୍ତରେ ଚିନ୍ତା କରିବାକୁ ପ୍ରଧାନ ବିଚାରପତି କହିଛନ୍ତି। ଏଭଳି କିଛି ପଦକ୍ଷେପ ହିଁ ୨/୩ ଦିନ ମଧ୍ୟରେ ପ୍ରଦୂଷଣର ମାତ୍ରା କମିବା ଦିଗରେ ସହାୟକ ହେବ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ପିଲାମାନଙ୍କୁ ପ୍ରଦୂଷଣ, ମହାମାରୀ ଏବଂ ଡେଙ୍ଗୁ ମୁହଁକୁ ଠେଲି ଦିଆଯାଉଛି

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ରାହୁଲ ମେହରା କୋର୍ଟରେ ହାଜର ହୋଇ କହିଥିଲେ, ଦିଲ୍ଲୀରେ ବାୟୁର ମାନ ଯେଭଳି ରହିଛି ତାହା ୨୦ଟି ସିଗାରେଟ୍‌ ଟାଣିବା ସହ ସମାନ। ପଂଜାବ ଏବଂ ହରିୟାଣାରେ ନଡ଼ାପାଳ ଜାଳିବା ପ୍ରଦୂଷଣର ପ୍ରମୁଖ କାରଣ ବୋଲି ସେ କହିଥିଲେ। ଏଥିରେ କଡ଼ା ପ୍ରତିକ୍ରିୟା‌ ରଖି ପ୍ରଧାନ ବିଚାରପତି କହିଥିଲେ, ପ୍ରଥମେ ଦିଲ୍ଲୀକୁ ନିୟନ୍ତ୍ରଣ କର। ତୁମର ସ୍ମଗ୍‌ ଟାୱାର କାମ କରୁଛି କି ବୋଲି ପ୍ରଧାନ ବିଚାରପତି ପଚାରିଥିଲେ। ବାଣ ଏତେ ପ୍ରବଳ ଫୁଟିଲା କାହିଁକି ଏବଂ ଗତ ସପ୍ତାହେ ହେଲା କ’ଣ ଚାଲିଛି । ଦିଲ୍ଲୀ ପୁଲିସ କ’ଣ କରୁଛି। ଏହା ଏକ ଜରୁରୀ ସ୍ଥିତି ହୋଇଥିବାରୁ ଜରୁରୀ ପଦକ୍ଷେପ ଗ୍ରହଣ ହେବା ଉଚିତ୍‌ ବୋଲି ଖଣ୍ଡପୀଠ କହିଥିଲେ। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପଂଜାବ ଏବଂ ହରିୟାଣା ନଡ଼ାପାଳ ନ ଜାଳିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଥିଲେ। ଅନ୍ୟପକ୍ଷେ ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପରିସ୍ଥିତି ସୁଧୁରିବ ନାହିଁ। ନଡ଼ାପାଳ ଜାଳିବା ପାଇଁ ସରକାର ମେସିନ୍‌ ଉପଲବ୍ଧ କରାଉଛନ୍ତି। କିନ୍ତୁ କୃଷକମାନେ ଅର୍ଥାଭାବ ଯୋଗୁଁ ଏଭଳି ମେସିନ୍‌ କିଣିପାରୁ ନାହାନ୍ତି। କେନ୍ଦ୍ର ଏବଂ ଦିଲ୍ଲୀ ସରକାର କାହିଁକି ଏହି ମେସିନ୍‌ କୃଷକମାନଙ୍କୁ ଦେଉନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଦିଲ୍ଲୀ ସରକାରଙ୍କ ଓକିଲ ମେହରା କହିଥିଲେ କୃଷକମାନଙ୍କ ପାଇଁ ୨ଲକ୍ଷ ମେସିନ୍‌ ଉପଲବ୍ଧ ଅଛି ଏବଂ ୮୦ ପ୍ରତିଶତ ରିହାତି ମୂଲ୍ୟରେ ଏହା ଦିଆଯାଉଛି। କୋର୍ଟ ପଚାରିଥିଲେ, କେତେ କୃଷକ ଏହା କିଣି ପାରିବେ ତାହା ଆକଳନ କରାଯାଉ। ଦିଲ୍ଲୀରେ ସ୍କୁଲ ଖୋଲିବା ଘଟଣାରେ କୋର୍ଟ କହିଛନ୍ତି, ଏଭଳି ପାଗରେ ଛୋଟ ପିଲାମାନେ ସ୍କୁଲ୍‌ ଯାଉଛନ୍ତି। ସେମାନେ ମଧ୍ୟ ପ୍ରଦୂଷଣର ଶିକାର ହେଉଛନ୍ତି। ସେମାନଙ୍କୁ ପ୍ରଦୂଷଣ, ମହାମାରୀ ଏବଂ ଡେଙ୍ଗୁ ମୁହଁକୁ ଠେଲି ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର