ଶ୍ରୀନଗର (ଜମ୍ମୁ- କଶ୍ମୀର): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା କରିବା ଲକ୍ଷ୍ୟରେ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ କୁଖ୍ୟାତ ଆତଙ୍କବାଦୀକୁ ଜମ୍ମୁ- କଶ୍ମୀର ପୁଲିସ୍‌ ଶ୍ରୀନଗରରୁ ରବିବାର ଗିରଫ କରିବା ସହ ତା’ ନିକଟରୁ ୮ଟି ଜୀବନ୍ତ ଗ୍ରେନେଡ୍‌ ଜବତ କରିଛି। ପୁଲିସ୍‌ ଜେରା କାଳରେ ଗିରଫ ଆତଙ୍କବାଦୀ କହିଛି ଯେ ସ୍ୱାଧୀନତା ଦିବସ ପୂର୍ବରୁ ସେ ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ସେ ଗ୍ରେନେଡ୍‌ ନେଇ ଦିଲ୍ଲୀ ଯାଉଥିଲା। ଗୁଇନ୍ଦା ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ ପକ୍ଷରୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହାମ୍‌ଲା କରିବା ଯୋଜନା ପ୍ରସ୍ତୁତ ହୋଇଛି।

Advertisment

publive-image

ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ଜନୈକ କୁଖ୍ୟାତ ଆତଙ୍କବାଦୀ ୮ଟି ଜୀବନ୍ତ ଗ୍ରେନେଡ୍‌ ନେଇ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଜମ୍ମୁ- କଶ୍ମୀର ପୁଲିସ୍‌ ହାତରେ ଗିରଫ ହେବା ଘଟଣା ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗିରଫ ହୋଇଥିବା ଆତଙ୍କବାଦୀର ନାମ ଅରଫାନ୍‌ ଓ୍ଵାନି ଏବଂ ସେ ଦକ୍ଷିଣ କଶ୍ମୀର ପୁଲଓ୍ଵାମା ଅନ୍ତର୍ଗତ ଅଓ୍ଵନ୍ତିପୁରାର ବାସିନ୍ଦା। ସେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଜମ୍ମୁ- କଶ୍ମୀର ପୁଲିସ୍‌ ତାକୁ ଗିରଫ କରିବା ସହ ୮ଟି ଜୀବନ୍ତ ହାତ ଗ୍ରେନେଡ୍‌ ଓ ନଗଦ ୬୦ ହଜାର ଟଙ୍କା ଜବତ କରିଛି।