ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦିଲ୍ଲୀ-ଏନ୍ସିଆର୍ ସମେତ ଦେଶର ଅନେକ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସୋମବାର ପର୍ଯ୍ୟନ୍ତ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ଏଯାବତ୍ ପାଖାପାଖି ୫୦୦ଟି ସ୍ୱାଇନ୍ ଫ୍ଲୁ ମାମଲା ସାମ୍ନାକୁ ଆସିଛି। ନ୍ୟାସନାଲ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (ଏନ୍ସିଡିସି)ର ରିପୋର୍ଟ ଅନୁସାରେ, ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ମହାରାଷ୍ଟ୍ରରେ ସ୍ୱାଇନ୍ ଫ୍ଲୁର ଅଧିକ ପ୍ରଭାବ ଦେଖିବାକୁ ମିଳିଛି।
ଗୁଜରାଟରେ ପ୍ରତ୍ୟେକ ଦିନ ୪୦ରୁ ଅଧିକ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ସେହିପରି କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସ୍ୱାଇନ୍ ଫ୍ଲୁରେ ୧୬୯ଜଣଙ୍କର ମୃତ୍ୟୁ ଘଟିଛି । ୪,୫୭୧ ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି । ମୋଟ ମୃତ୍ୟୁ ସଂଖ୍ୟାରୁ ୪୦ପ୍ରତିଶତ ରାଜସ୍ଥାନରେ ହୋଇଛି ।
ରାଜସ୍ଥାନରେ ସୋମବାର ସୁଦ୍ଧା ମୋଟ ୧୯୧୧ଜଣ ଏହି ରୋଗରେ ଆକ୍ରାନ୍ତ ଥିବାବେଳେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଏହାପରେ ପଞ୍ଜାବରେ ୨୬, ଗୁଜୁରାଟରେ ୨୦, ମହାରାଷ୍ଟ୍ରରେ ୧୨ ଓ ଦିଲ୍ଲୀରେ ୮ଜଣଙ୍କ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ହୋଇଛି।