ବିଶ୍ୱର ସବୁଠୁ ଜନଗହଳି ଭରା ସହର ଭାବେ ୨୦୫୦ ସୁଦ୍ଧା ଟୋକିଓକୁ ଟପିଯିବ ଦିଲ୍ଲୀ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ସହରରେ ବସବାସ କରିବେ। ସବୁଠୁ ଅଧିକ ଲୋକ ବସବାସ କରିବେ ଭାରତ, ଚୀନ୍‌ ଏବଂ ନାଇଜେରିଆର ସହରାଞ୍ଚଳରେ। ଏ କଥା ବୁଧବାର ଦିନ ପ୍ରକାଶ କରିଛି ଜାତିସଂଘ।

ଆଉ ଅଳ୍ପ କେତେ ବର୍ଷ ପରେ ଗ୍ରାମୀଣ ଜନସଂଖ୍ୟା ସର୍ବୋଚ୍ଚ ସୀମାରେ ପହଞ୍ଚି ୨୦୫୦ ସୁଦ୍ଧା ପୁଣି ହ୍ରାସ ପାଇବ।

୩୭ ନିୟୁତ ଲୋକ ଥାଇ ଟୋକିଓ ବିଶ୍ୱର ସବୁଠୁ ବଡ଼ ସହରର ମାନ୍ୟତା ପାଇଛି। କିନ୍ତୁ, ୨୦୨୮ ସୁଦ୍ଧା ଦିଲ୍ଲୀ ଏହାକୁ ଟପିଯିବ। ସେତେବେଳକୁ ଭାରତର ଜନସଂଖ୍ୟା ଚୀନ୍‌ର ଜନସଂଖ୍ୟାକୁ ଟପି ଯାଇଥିବ।

୨୦୫୦ ବେଳକୁ ଭାରତ, ଚୀନ୍‌ ଏବଂ ନାଇଜେରିଆର ସହରାଞ୍ଚଳରେ ଏକ ତୃତୀୟାଂଶରୁ ଅଧିକ ଜନସଂଖ୍ୟ ବଢ଼ିଯାଇଥିବ।

ସହରାଞ୍ଚଳରେ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ଫଳରେ ବାସଗୃହ, ଜଳ, ପରିଚ୍ଛନ୍ନତା, ବିଜୁଳି, ସର୍ବସାଧାରଣ ପରିବହନ, ଶିକ୍ଷା ଓ ଡାକ୍ତରଖାନା ଆଦି ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜାତିସଂଘ ଜନସଂଖ୍ୟ ବିଭାଗର ଜନ୍‌ ଓ୍ଵିଲ୍‌ମଥ୍‌ କହନ୍ତି।

ସମ୍ପ୍ରତି ବିଶ୍ୱ ଜନସଂଖ୍ୟାର ୫୫% ସହରାଞ୍ଚଳରେ ବସବାସ କରନ୍ତି। ଏହା ୨୦୫୦ ସୁଦ୍ଧା ୬୮%ରେ ପହଞ୍ଚିବ ବୋଲି ରିପୋର୍ଟ କହିଛି।
ଜନ୍‌ ଓ୍ଵିଲ୍‌ମଥ୍‌ଙ୍କ ମତରେ ସହରୀକରଣକୁ ସକାରାତ୍ମକ ଦୃଷ୍ଟିରେ ଦେଖି ହେବ। ସେ କହନ୍ତି, ସହରରେ ଜନସଂଖ୍ୟା ବଢ଼ିବା ଦ୍ୱାରା ଅଧିକ ଆର୍ଥିକ ସେବା ଯୋଗାଇବାର ଉପାୟ ଯୋଗାଣ ହେବ। କାରଣ ସହରାଞ୍ଚଳର ଜନତା ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଉତ୍ତମ ସୁବିଧା ପାଉଛନ୍ତି। ଲୋକେ ଗୋଟିଏ ସ୍ଥାନରେ ଠୁଳ ହୋଇଯିବା ଦ୍ୱାରା ମାନବ ଦ୍ୱାରା ପରିବେଶ ଉପରେ ପଡୁଥିବା ପ୍ରଭାବ ସର୍ବନିମ୍ନ ସ୍ତରରେ ରହିବ।

ସମ୍ବନ୍ଧିତ ଖବର