ନୂଆଦିଲ୍ଲୀ : ଦ୍ବାରକାର ବିପିନ ଗାର୍ଡେନରେ ଜନୈକ ୩୮ ବର୍ଷୀୟ ରାଜେନ୍ଦ୍ର କୁମାର ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତା’ର ଦିନକ ପରେ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟାରେ ବ୍ୟବହୃତ କିଚେନ୍ ନାଇଫ୍‌କୁ ଅଭିଯୁକ୍ତ ଅନ୍‌ଲାଇନ୍‌ରେ ମଗାଇଥିଲା।

Advertisment

ପୁଲିସର କହିବା ଅନୁସାରେ ରାଜେନ୍ଦ୍ର ଗତ ସପ୍ତାହରେ ଅନ୍‌ଲାଇନ୍‌ରେ ତିନୋଟି ଛୁରି ମଗାଇଥିଲା। ହତ୍ୟାରେ ସେହି ଛୁରିକୁ ସେ ବ୍ୟବହାର କରିଥିଲା। ତେଣୁ ପୁଲିସ ସନ୍ଦେହ କରୁଛି ଯେ ଏହି ହତ୍ୟାକାଣ୍ଡ ଥିଲା ପୂର୍ବ ପରିକଳ୍ପିତ ଓ ଯୋଜନାବଦ୍ଧ। ସ୍ତ୍ରୀ ଓ ପିଲାଙ୍କୁ ପୂର୍ବରୁ ମାରିବା ପାଇଁ ସେ ଚେଷ୍ଟା କରିଥିଲା କି ନାହିଁ ତାହା ଉପରେ ପୁଲିସ ଅନୁସନ୍ଧାନ କରୁଛି।

ସୋମବାର ସ୍ତ୍ରୀ ଓ ଗୋଟିଏ ଶିଶୁ ସମେତ ଦୁଇ ପିଲାଙ୍କର ପୋଷ୍ଟମର୍ଟମ କରାଯାଇଥିଲା। ଛୁରିକାଘାତ ଦ୍ବାରା ହତ୍ୟା ହୋଇଥିବା ଏଥିରୁ ଜଣାପଡ଼ିଛି। ରାଜେନ୍ଦ୍ରର ସର୍ଜରି ବୁଧବାର କରାଯାଇଛି। ତା’ର ସ୍ବାସ୍ଥ୍ୟ ଅବସ୍ଥା ଟିକେ ଭଲ ହେଲେ ତାକୁ ଜେରା କରାଯିବ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ରାଜେନ୍ଦ୍ର ତା’ର ସାଙ୍ଗମାନଙ୍କୁ ରବିବାର ଏକ ହ୍ବାଟ୍‌ସଆପ୍ ମେସେଜ ପଠାଇଥିଲା, ଯେଉଁଥିରେ ସେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ସାଙ୍ଗମାନଙ୍କୁ ଜଣାଇଥିଲା।