ଚାକିରିର ପ୍ରଲୋଭନ ଦେଖାଇ ରାଜଧାନୀ ଜିବି ରୋଡ୍‌ର ଅନ୍ଧଗଳିରେ ବିକ୍ରି ହୋଇଥିବା ପଶ୍ଚିମବଙ୍ଗର ୨ ଯୁବତୀଙ୍କୁ ଉଦ୍ଧାର କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଦେହ ଦଲାଲ ପଶ୍ଚିମବଙ୍ଗର ଦୁଇ ଜଣ ବାଳିକାଙ୍କୁ ଆଣି ରାଜଧାନୀ ନୂଆଦିଲ୍ଲୀର ଜିବି ରୋଡ୍‌ରେ ଥିବା ରେଡ୍‌ ଲାଇଟ୍‌ ଏରିଆରେ ଯୌନ କର୍ମୀ ଭାବେ ବିକ୍ରି କରିଦେବାର ତିନି ମାସ ପରେ ଆଜି ନୂଆଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୨୮ ବର୍ଷ।

ରାଜଧାନୀର ଅନ୍ଧଗଳିରୁ ଉଦ୍ଧାର ପାଇବା ପରେ ଏହି ଦୁଇ ଯୁବତୀ ସେମାନଙ୍କର କରୁଣ କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଏହି ଦୁଇ ଯୁବତୀଙ୍କ ଘର ପଶ୍ଚିମବଙ୍ଗ କୋଲକାତାର ସିଆଲଦା ଅଞ୍ଚଳରେ। କୋଲକାତାର ଜଣେ ବ୍ୟକ୍ତି ରାଜଧାନୀ ଦିଲ୍ଲୀରେ ସେମାନଙ୍କୁ ଭଲ ଦରମାରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଦିଲ୍ଲୀ ନେଇ ଆସିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ତା’ର ଜଣେ ବନ୍ଧୁକୁ ଫୋନ୍‌ କରି ଡକାଇବା ସହ ତା’ ସହ ମିଶି ଯୁବତୀ ଦୁଇଜଣଙ୍କୁ ନେଇ ଜିବି ରୋଡ୍‌ର ଅନ୍ଧଗଳିରେ ବିକ୍ରି କରି ଦେଇଥିଲେ। ଯୁବତୀ ଦୁଇ ଜଣ କିଛି ବୁଝି ପ୍ରତିବାଦ କରିବା ପୂର୍ବରୁ ହୋଇ ଯାଇଥିଲେ ଜିବି ରୋଡ୍‌ ଅନ୍ଧଗଳିର ଦେହଜୀବୀ।

ଏହାପରେ ସେମାନଙ୍କ ଉପରେ ଆରମ୍ଭ ହୋଇ ଯାଇଥିଲା ଦେହ ଦଲାଲମାନଙ୍କର ଅତ୍ୟାଚାର। ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ଦେହ ଦଲାଲମାନେ ପ୍ରଥମେ ମାସାଧିକ କାଳ ଧରି ସେମାନଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ପରେ, ସେମାନଙ୍କୁ ଜିବି ରୋଡ୍‌ ଅନ୍ଧଗଳିକୁ ଆସୁଥିବା ଯୌନ ପିପାସୁମାନଙ୍କର ଯୌନ କ୍ଷୁଧା ମେଣ୍ଟାଇବାକୁ ବାଧ୍ୟ କରାଯାଇଥିଲା। ଦେହ ଦଲାଲମାନଙ୍କ ନିର୍ଦ୍ଦେଶକୁ ଅମାନ୍ୟକଲେ ସେମାନଙ୍କ ଉପରେ ଆରମ୍ଭ ହୋଇ ଯାଉଥିଲା ଅକଥନୀୟ ଅତ୍ୟାଚାର। ଏପରିକି ଏହି ଯୁବତୀ ଦ୍ୱୟଙ୍କୁ ପ୍ରତ୍ୟେକ ଦିନ ୨୦ରୁ ଉର୍ଦ୍ଧ୍ୱ ଯୌନ ପିପାସୁମାନଙ୍କର ଯୌନ କ୍ଷୁଧା ମେଣ୍ଟାଇବାକୁ ଏହି ଦଲାଲମାନେ ବାଧ୍ୟ କରିବା ସହ ଏ ବାବଦରେ ଯୌନ ପିପାସୁମାନଙ୍କ ଠାରୁ ଆଦାୟ କରୁଥିଲେ ବିପୁଳ ପରିମାଣର ଅର୍ଥ।

ଏପରି ଭାବେ ଅନ୍ଧଗଳି ଭିତରେ ଯୁବତୀ ଦୁଇଜଣଙ୍କର ଜୀବନ କ୍ରମଶଃ ହୋଇ ଉଠିଥିଲା ଦୁର୍ବିସହ। ଏଠାରୁ ଯେ ସେମାନେ କେବେ ମୁକ୍ତି ପାଇବେ ସେ ଆଶା ମଧ୍ୟ ସେମାନେ ଛାଡ଼ି ଦେଇଥିଲେ। ତେବେ, ଦିନେ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ପାଇଁ ଜିବି ରୋଡ୍‌ ଅନ୍ଧଗଳିକୁ ଆସିଥିବା ବେଳେ ଯୁବତୀ ଦୁଇଜଣ ତାଙ୍କ ସମ୍ମୁଖରେ ବଖାଣି ଥିଲେ ନିଜ ଦୁଃଖଭରା କାହାଣୀ। ତେବେ, ସେଠାରୁ ଯିବାପରେ ଗଣମାଧ୍ୟମ ପ୍ରତିନିଧି ଜଣକ ଘଟଣା ସଂପର୍କରେ ଜଣାଇଥିଲେ ଦିଲ୍ଲୀ ମହିଳା କମିଶନ। ଅଭିଯୋଗ ପାଇବା ପରେ ଦିଲ୍ଲୀ ମହିଳା କମିଶନ ଆଜି ଦିଲ୍ଲୀ ପୁଲିସ୍‌କୁ ସଙ୍ଗରେ ଧରି ଜିବି ରୋଡ୍‌ ଅନ୍ଧଗଳି ଉପରେ ଚଢ଼ାଉ କରି ସେଠାରୁ ଏହି ଯୁବତୀ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଏବେ ପୁଲିସ୍‌ ଏହି ଘଟଣା ସଂପର୍କରେ ଏକ ମାମଲା ରୁଜ୍ଜୁ କରିବା ସହ ଏସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର