ଦ୍ରୁତ ଗତିର ଆସୁଥିବା ବିଏମଡବ୍ଲୁ କାରର ଫାଟିଲା ଟାୟାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ନୂଆଦିଲ୍ଲୀ: ବିଏମଡବ୍ଲୁ ଧକ୍କାରେ ଗଲା ସାଇକେଲ ଆରୋହୀଙ୍କ ଜୀବନ। ଦିଲ୍ଲୀର ମହିପାଲପୁରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦ୍ରୁତ ଗତିରେ ଯାଉଥିବା ଏକ ବିଏମଡବ୍ଲୁ କାର ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇବା ପରେ ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି। ମୃତ ସାଇକେଲ ଆରୋହୀ ଶୁଭେନ୍ଦୁ ଚାଟାର୍ଜୀ(୫୦) ବୋଲି ପୁଲିସ ଚିହ୍ନଟ କରିଛି। ଶୁଭେନ୍ଦୁ ଗୁରୁଗ୍ରାମର ବାସିନ୍ଦା ଥିଲେ ଏବଂ ପ୍ରତିଦିନ ସକାଳେ ଦିଲ୍ଲୀର ଧୌଲା କୁଆନ୍ ପର୍ଯ୍ୟନ୍ତ ସେ ସାଇକେଲ ଚଳାଇ ଯିବାଆସିବା କରୁଥିଲେ।

ସୂଚନା ମୁତାବକ, ରବିବାର ସକାଳ ସମୟରେ ଶୁଭେନ୍ଦୁ ଗୁରୁଗ୍ରାମରୁ ଧୌଲା କୁଆନ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର ତଦନ୍ତ କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି, ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିଏମଡବ୍ଲୁ କାରର ଟାୟାର ଫାଟିଯିବାରୁ ଦୁର୍ଘଟଣା ଘଟିଛି। ହଠାତ୍  ଟାୟାର ଫାଟିଯିବାରୁ ଦ୍ରୁତ ଗତିରେ ଥିବା କାର ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହା ପରେ କାରଟି ଯାଇ ସାଇକେଲ ଚାଳକ ଶୁଭେନ୍ଦୁ ଚାଟାର୍ଜୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ଶୁଭେନ୍ଦୁ ଚାଟାର୍ଜୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ କାର ଡ୍ରାଇଭର, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର