ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଗତକାଲି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ନୂଆ ଅବକାରୀ ନୀତିରେ ବିଭିନ୍ନ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀରେ ଅବକାରୀ ମନ୍ତ୍ରାଳୟ ଦାୟିତ୍ବରେ ଥିବାରୁ ତାଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆସିଛି। ତେଣୁ ସିସୋଦିଆଙ୍କ ବିରୋଧରେ ଉଭୟ ବିଜେପି ଏବଂ କଂଗ୍ରେସ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବିଜେପି ଆଜି ସିସୋଦିଆଙ୍କ ଗିରଫ ଦାବି କରି ଆନ୍ଦୋଳନ କରିଛି। ଦିଲ୍ଲୀ ବିଜେପି କର୍ମୀମାନେ ଆଜି ଦିଲ୍ଲୀ ପୁଲିସର ବ୍ୟାରିକେଡ୍ ଭାଙ୍ଗି ସିସୋଦିଆଙ୍କ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି । ଶତାଧିକ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଇତି ମଧ୍ୟରେ ଦିଲ୍ଲୀ କଂଗ୍ରେସ ଆଜି ଆପ୍ ଅଫିସ ବାହାରେ ଆନ୍ଦୋଳନ କରିଛି। ସିସୋଦିଆଙ୍କ ଇସ୍ତଫା ଦାବି କରି ଦିଲ୍ଲୀ କଂଗ୍ରେସ ପକ୍ଷରୁ ଆଜି ଆପ୍ ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ବହୁ ସଂଖ୍ୟାରେ ଦିଲ୍ଲୀ କଂଗ୍ରେସ କର୍ମୀ ଆପ୍ର ଡିଡିୟୁ ମାର୍ଗ ଅଫିସ ନିକଟରେ ସମବେତ ହୋଇ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଆପ୍ ଦୁର୍ନୀତିରେ ବୁଡ଼ି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାରଙ୍କ ନୂ୍ଆ ଅବକାରୀ ନୀତି ୨୦୨୧-୨୨ରେ ଅନେକ ନିୟମର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ଅବକାରୀ ନୀତି କାର୍ଯ୍ୟକାରୀ ହୋଇଛି। ମନୀଷ ସିସୋଦିଆ ଅନେକ ବୈଧାନିକ ପ୍ରାବଧାନର ଉଲ୍ଲଂଘନ କରି ଅନୈତିକ ଫାଇଦା ହାସଲ କରିଛନ୍ତି ଏବଂ ସରକାରଙ୍କୁ ଏଥିପାଇଁ ବିପୁଳ କ୍ଷତି ଉଠାଇବାକୁ ପଡ଼ିଛି ବୋଲି ଉଭୟ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ସିବିଆଇ ତଦନ୍ତ ପାଇଁ ସୁପାରିସ ଆପ୍ର ଅଡ଼ୁଆ ବଢ଼ାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/h465sf4hsf65h4fh65.jpg)