ଦିଲ୍ଲୀ ୟୁନିଭର୍ସିଟି ରାଜନୀତି ବିଜ୍ଞାନ ସିଲାବସ ସଂଶୋଧିତ: ବାଦ୍ ପଡ଼ିଲେ ‘ସାରେ ଜହାଁ ସେ ଅଚ୍ଛା’ର କବି ମହମ୍ମଦ ଇକବାଲ

ନୂଆଦିଲ୍ଲୀ: ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲଙ୍କୁ ରାଜନୀତି ବିଜ୍ଞାନ ସିଲାବସରୁ ବାଦ୍ ଦେବା ପାଇଁ ଆଗତ ପ୍ରସ୍ତାବକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକାଡେମିକ୍ କାଉନସିଲ ଅନୁମୋଦନ କରିଛି। ପ୍ରସିଦ୍ଧ ଜାତୀୟତାବାଦୀ ସଂଗୀତ ‘ସାରେ ଜହାଁ ସେ ଅଚ୍ଛା’କୁ ଇକବାଲ ହିଁ ଲେଖିଥିଲେ।

ପାକିସ୍ତାନ ଗଠନର ଚିନ୍ତାଧାରାକୁ ଜନ୍ମ ଦେବାର ଶ୍ରେୟ ବହନ କରୁଥିବା ମହମ୍ମଦ ଆଲ୍ଲାମା ଇକବାଲ ୧୮୭୭ ମସିହାରେ ଅବିଭକ୍ତ ଭାରତରେ ଜନ୍ମ ହୋଇଥିଲେ। ବିଏର ଷଷ୍ଠ ସେମିଷ୍ଟାର ପେପରରେ ‘ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ୍‌’ ନାମକ ଏକ ଅଧ୍ୟାୟ ଥିଲା, ଯେଉଁଥିରେ ମହମ୍ମଦ ଇକବାଲଙ୍କ ବିଷୟ ବର୍ଣ୍ଣିତ ହୋଇଥିଲା। ଏହି ଅଧ୍ୟାୟକୁ ପାଠ୍ୟକ୍ରମରୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ୧୦୧୪ତମ ଏକାଡେମିକ୍ କାଉନସିଲ ବୈଠକରେ ବିଶଦ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

କୁଳପତି ପ୍ରଫେସର ଯୋଗେଶ ସିଂହ କହିଥିଲେ, ଯେଉଁମାନେ ଭାରତ ବିଭାଜନର ମୂଳଦୁଆ ପକାଇଥିଲେ, ସେମାନଙ୍କୁ ପାଠ୍ୟକ୍ରମରେ ରଖାଯିବା ଉଚିତ ନୁହେଁ। କୁଳପତିଙ୍କ ପ୍ରସ୍ତାବକୁ ସମସ୍ତେ ଏକସ୍ବରରେ ସମର୍ଥନ କରିଥିଲେ। ଆର୍‌ଏସ୍‌ଏସ୍‌ ସହ ସହବନ୍ଧିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ମୁସଲିମ ଲିଗର ନେତା ମହମ୍ମଦ ଅଲି ଜିନ୍ନାଙ୍କୁ ପାକିସ୍ତାନର ଜନକ କୁହାଯାଉଥିବା ବେଳେ ଇକବାଲଙ୍କୁ ଏହାର ଦାର୍ଶନିକ ଜନକ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର