ନୂଆଦିଲ୍ଲୀ: ଦିଲ୍ଲୀ ‘ଅନ୍‌ଲକ୍‌’ ପ୍ରକ୍ରିୟାରେ ରବିବାର ଦିନ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ (ଡିଡିଏମ୍‌ଏ) ଜାତୀୟ ରାଜଧାନୀ ନିମନ୍ତେ ଆହୁରି କିଛି କୋଭିଡ୍‌-୧୯ କଟକଣା କୋହଳ କରିଛନ୍ତି। ସୋମବାର ଠାରୁ ପୁଣି ଥରେ ଜାତୀୟ ରାଜଧାନୀ ଅଞ୍ଚଳରେ ଆସନ ସାମର୍ଥ୍ୟର ୫୦% ପୂରଣ କରି ବାର୍‌, ସର୍ବସାଧାରଣ ପ୍ରମୋଦ ଉଦ୍ୟାନ, ବଗିଚା, ଗଲ୍‌ଫ୍‌ କ୍ଲବ୍‌ ଏବଂ ମୁକ୍ତାକାଶ ଯୋଗ କାର୍ଯ୍ୟକଳାପ ଆରମ୍ଭ କରାଯାଇ ପାରିବ ବୋଲି ‘ଡିଡିଏମ୍‌ଏ’ ଏକ ଆଦେଶନାମାରେ କହିଛି।

Advertisment

ଅଧିକ ସଂକ୍ରମଣଶୀଳ କୋଭିଡ୍-୧୯ ମହାମାରୀର ଦ୍ବିତୀୟ ପ୍ରବାହ ଯୋଗୁଁ ଦିଲ୍ଲୀରେ କଟକଣା ଜାରି ହୋଇଥିଲା। ସେସବୁ ପର୍ଯ୍ୟାୟକ୍ରମେ ଲାଘବ କରାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଥିଲେ।

publive-image Image Courtesy of Free Press Journal

ଆସନ ସାମର୍ଥ୍ୟର ୫୦% ପୂରଣ କରି ସୋମବାର ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାର୍‌ ସବୁ ପୁଣି ଥରେ ଖୋଲିବାକୁ ଅନୁମତି ପାଇଛନ୍ତି। ରୋସ୍ତୋରାଁ ସବୁ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ଯାଇ ପାରିବ। କିନ୍ତୁ, ସେମାନଙ୍କ ପରିସର ମଧ୍ୟରେ ସରକାରୀ ଗାଇଡ୍‌ଲାଇନ୍‌ ଓ ନିୟମାନୁସାରେ କୋଭିଡ୍-୧୯ ପ୍ରାସଙ୍ଗିକ ଆଚରଣ କଡ଼ାକଡ଼ି ପାଳନ କରାଯାଉଛି ବୋଲି ମାଲିକମାନେ ସୁନିଶ୍ଚିତ ହେବା ଉଚିତ। ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ପାଇଁ ସେମାନେ ଉତ୍ତରଦାୟୀ ରହିବେ ବୋଲି ‘ଡିଡିଏମ୍‌ଏ’ କହିଛି।

publive-image Image Courtesy of India TV

କିନ୍ତୁ, ସିନେମା, ଜିମ୍‌ସ୍‌, ସ୍ପା ଆଦି ଜୁନ୍‌ ୨୮ ତାରିଖ ଭୋର୍‌ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପୂର୍ବରୁ କଟକଣା ଜାରି କରାଯାଇଛି।

ଶନିବାର ଦିନ ଦିଲ୍ଲୀରେ କୋଭିଡ୍‌-୧୯ଜନିତ ୭ଜଣଙ୍କ ମୃତ୍ୟୁ ଏବଂ ୧୩୫ଜଣ ସଦ୍ୟ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାବଳିରୁ ଜଣାପଡ଼ିଥିଲା। ଏପ୍ରିଲ୍ ପହିଲା ଠାରୁ ଏହା ହେଉଛି ଦିଲ୍ଲୀରେ ସର୍ବନିମ୍ନ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା। ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ୦.୧୮%କୁ ହ୍ରାସ ପାଇଛି।