ନୂଆଦିଲ୍ଲୀ, ୧୮/୧: ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଶାସନ ଉପରେ କେଜ୍ରିୱାଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରୁ କାହାର କେତେ ନିୟନ୍ତ୍ରଣ ରହିବ ସେ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଛି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ଜଣିଆ ସମ୍ବିଧାନ ବେଞ୍ଚ କେନ୍ଦ୍ର-ଦିଲ୍ଲୀ ବିବାଦ ଉପରେ ଶୁଣାଣି କରୁଛନ୍ତି। ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆପ୍‌ର ସଡ଼କ ଉପରେ ପ୍ରତିବାଦ ଓ ନାଟକବାଜି ପ୍ରସଙ୍ଗ ଆଜି ସୁପ୍ରିମ୍‌କୋର୍ଟର ସମ୍ବିଧାନ ବେଞ୍ଚ ଆଗରେ ଉଠିଥିଲା। କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ (ଏସ୍‌ଜି) ତୁଷାର ମେହେଟ୍ଟା ଆପ୍‌ର ଆନ୍ଦୋଳନ ସଂପର୍କରେ ଉଲ୍ଲେଖ କରି ଏହା କେବଳ ନାଟକବାଜି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି।

Advertisment

ଆଜି ଏସ୍‌ଜି ମେହେଟ୍ଟା କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଆପ୍ ସରକାର ଉପରାଜ୍ୟପାଳଙ୍କ ବିରୋଧରେ ଚଳାଇଥିବା ପ୍ରତିବାଦ ଓ ନାଟକବାଜି ନିନ୍ଦନୀୟ ବୋଲି କହିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବରେ ଆପ୍ ବିଧାୟକମାନେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିର୍ବାଚିତ ସରକାରର କାର୍ଯ୍ୟକଳାପରେ ତାଙ୍କର ହସ୍ତକ୍ଷେପ ନେଇ ପ୍ରତିବାଦ କରିଥିଲେ। ଏ ନେଇ ମେହେଟ୍ଟା କହିଥିଲେ ଯେ ଗତ କିଛିଦିନ ହେଲା ଆପ୍ ସରକାର ଓ କେନ୍ଦ୍ର ମଧ୍ୟରେ ବିବାଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ଓ ଲେଖାମାନ ପ୍ରକାଶ ପାଇବାରେ ଲାଗିଛି। କୋର୍ଟରେ ଶୁଣାଣି ଚାଲିଥିବାବେଳେ ସେମାନେ ଜାଣିଶୁଣି ଏହା କରୁଛନ୍ତି ଏବଂ ଏହା କୌଣସି କାକତାଳିକତା ନୁହେଁ। ତେବେ ଏସ୍‌ଜିଙ୍କୁ କୋର୍ଟ ଅନୁରୋଧ କରିଥିଲେ କେ‌ବଳ ନ୍ୟାୟିକ ଓ ସାମ୍ବିଧାନିକ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ। ମଙ୍ଗଳବାର ଏସ୍‌ଜିଙ୍କ ପରେ ଏଏସ୍‌ଜି ସଞ୍ଜୟ ଜୈନ ଉପରାଜ୍ୟପାଳଙ୍କ ତରଫରୁ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବୁଧବାର ବରିଷ୍ଠ ଆଇନଜୀବୀ ଏଏମ୍ ସିଂହଭି ଆପ୍ ତରଫରୁ ଯୁକ୍ତି ଉପସ୍ଥାପନ କରିଥିଲେ।