ଦିଲ୍ଲୀ ହିଂସାରେ ସଂପୃକ୍ତ ୧୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି : ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ସଂପର୍କରେ ଆଜି ସଂସଦରେ ନିଜର ବୟାନ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ ଏହି ଦଙ୍ଗା ବେଶ ପୂର୍ବପ୍ରସ୍ତୁତି ଅନୁସାରେ ହୋଇଥିଲା । କିନ୍ତୁ ଦିଲ୍ଲୀ ପୁଲିସ ମାତ୍ର ୩୬ ଘଣ୍ଟାରେ ଏହାକୁ ନିୟନ୍ତ୍ରଣ କରିନେଇଥିଲା । ସେ କହିଛନ୍ତି ଯେ ଏହି ହିଂସାକାଣ୍ଡରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ ପ୍ରାୟ ୭୦୦ଟି ଏଫଆଇଆର ରୁଜ୍ଜୁ କରାଯାଇଛି । ପୁଲିସ ପ୍ରାୟ ୧୫୦ଟି ମାରଣାସ୍ତ୍ର ଜବତ କରିଛି ଓ ମାରଣାସ୍ତ୍ର ଆଇନ ଅନୁସାରେ ୪୯ଟି ମାମଲା ରୁଜ୍ଜୁ କରିଛି । ସେ କହିଛନ୍ତି ଫେବ୍ରୁଆରି ୨୨ରୁ ୨୭ ମଧ୍ୟରେ ହୋଇଥିବା ଏହି ସାଂପ୍ରଦାୟିକ ଦଙ୍ଗାରେ ପ୍ରାୟ ୫୨ ଜଣ ମୃତ୍ୟୁବରଣ କରିଛନ୍ତି ଓ ୫୨୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଫେସ ରେକଗନିସନ ସଫ୍ଟଓ୍ଵାର ବ୍ୟବହାର କରି ଦଙ୍ଗାରେ ସଂପୃକ୍ତ ପ୍ରାୟ ୧୧୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି । ପୁଲିସର ୪୦ଟି ଟିମ ଗଠନ କରାଯାଇ ଏମାନଙ୍କ ସନ୍ଧାନ କରାଯାଉଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦୦ ଉତ୍ତରପ୍ରଦେଶରୁ ଆସିଥିଲେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର