ଦିଲ୍ଲୀ ହିଂସା ସୁପରିକଳ୍ପିତ: ଶାହ

ଦିଲ୍ଲୀ ପୁଲିସକୁ ପ୍ରଶଂସା କରିବାରୁ କଂଗ୍ରେସ ସାଂସଦଙ୍କ କକ୍ଷତ୍ୟାଗ
୩୦୦ ଦଙ୍ଗାକାରୀ ୟୁପିରୁ ଆସିଥିଲେ
ଦଙ୍ଗାକାରୀଙ୍କ ସମ୍ପତ୍ତି ଜବତ ହେ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକୁ ନେଇ ଆଜି ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ବିବୃତି ରଖିଛନ୍ତି। ଦିଲ୍ଲୀ ହିଂସା ସୁପରିକଳ୍ପିତ ଏବଂ ଏହା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି ବୋଲି ଶାହ କହିଛନ୍ତି। ଦିଲ୍ଲୀ ହିଂସାର ରାଜନୀତିକରଣ କରାଯାଇଛି। ତେବେ ହିଂସା ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୁଲିସର ଭୂମିକାକୁ କେନ୍ଦ୍ର ଗୃହମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି। ଦିଲ୍ଲୀର ଲୋକସଂଖ୍ୟା ୧.୭୦ କୋଟି ଥିବାବେଳେ ୨୦ ଲକ୍ଷ ଲୋକ ଦଙ୍ଗା ପ୍ରଭାବିତ ହୋଇଥିଲେ। ଦିଲ୍ଲୀ ଦଙ୍ଗାରେ ଅତି କମ୍‌ରେ ୧୧୦୦ ଲୋକଙ୍କ ସମ୍ପୃକ୍ତି ରହିଛି। ୧୧୦୦ ଦଙ୍ଗାକାରୀଙ୍କ ମଧ୍ୟରୁ ୩୦୦ ଦଙ୍ଗା‌କାରୀ କେବଳ ଉତ୍ତର ପ୍ରଦେଶରୁ ଆସିଥିଲେ। ଏହି ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପତ୍ତି ଜବତ କରାଯିବ। ଦିଲ୍ଲୀ ପୁଲିସ ମୋଟ ୪୦ଟି ଦଳରେ ବିଭକ୍ତ ହୋଇ ଦଙ୍ଗାକାରୀଙ୍କୁ ଚିହ୍ନଟ କରିଛନ୍ତି। ଦଙ୍ଗାକାରୀଙ୍କୁ ଚିହ୍ନଟ କରିବାରେ ପାତରଅନ୍ତର କରାଯାଇନାହିଁ। ସେମାନଙ୍କ ଭୋଟର ପରିଚୟପତ୍ର, ଆଧାର କାର୍ଡକୁ ଭିତ୍ତି କରି ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି। ଦଙ୍ଗାରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନେ ସମସ୍ତେ ଭାରତୀୟ। ସେମାନଙ୍କୁ ହିନ୍ଦୁ, ମୁସଲମାନ ଧର୍ମ ଭିତ୍ତିରେ ବିଚାର କରିବା ଉଚିତ ନୁହେଁ ବୋଲି ଗୃହମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ହିଂସା ସମୟରେ ସେ ଦିଲ୍ଲୀରେ ରହି ପରିସ୍ଥିତିର ନିୟମିତ ସମୀକ୍ଷା କରୁଥିଲେ। ୨୪ ତାରିଖ ସନ୍ଧ୍ୟା ୭ଟା, ୨୫ ତାରିଖ ସକାଳ ୮ଟା ଓ ସନ୍ଧ୍ୟା ୬ଟାରେ ଦିଲ୍ଲୀ ହିଂସାକୁ ନେଇ ସମୀକ୍ଷା କରିଥିବା ଗୃହମନ୍ତ୍ରୀ କହିଛନ୍ତି। ଦେଶର ସବୁଠୁ ଘନ ଜନବସତି ଅଞ୍ଚଳ ଭାବେ ପରିଚିତ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗାର ପୁଲିସ ସଫଳ ମୁକାବିଲା କରିପାରିଛି। ଦିଲ୍ଲୀ ହିଂସା ମାମଲାରେ ୭୦୦ରୁ ଊର୍ଦ୍ଧ୍ବ ଏଫ୍‌ଆଇଆର୍‌ ରୁଜୁ ହୋଇଛି ଏବଂ ୨୬୪୭ ଲୋକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ମାତ୍ର ୩୬ ଘଣ୍ଟା ମଧ୍ୟରେ ଦଙ୍ଗାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସଫଳ ହୋଇ ପାରିଥିବାରୁ ଶାହ ପୁଲିସକୁ ପ୍ରଶଂସା କରିଛନ୍ତି। ତେବେ ଗୃହମନ୍ତ୍ରୀ ଦିଲ୍ଲୀ ପୁଲିସର ପ୍ରଶଂସା କରିବାରୁ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର