ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି, ୬୩୦ ଗିରଫ

ମରଶରୀର ନେବାକୁ ବି ଭୟ

ଦୋକାନ, ବଜାର ଖୋଲିଲା, ନାଳ ଓ ପାଉଁଶ ଗଦାରୁ ମିଳୁଛି ମୃତଦେହ, ଗୁଳି ଚଳାଇଥିବା ଶାହରୁଖ୍‌ ଫେରାର
ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଗତରାତି ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ହିଂସାଗ୍ରସ୍ତ ଉତ୍ତର ପୂର୍ବ ଦିଲ୍ଲୀରେ ଆଜି କୌଣସି ହିଂସା, ଉତ୍ତେଜନା ଦେଖିବାକୁ ମିଳିନାହିଁ ଏବଂ ଅନେକ ଅଂଚଳରେ ପରିସ୍ଥିତି ସ୍ବାଭାବିକ ହୋଇଛି। ଦଙ୍ଗାଗ୍ରସ୍ତ ଅଂଚଳରେ ଦୋକାନ ବଜାର ଖୋଲିବା ଆରମ୍ଭ କରିଥିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି। ସରକାର ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ପରିଚୟ ମିଳିନାହିଁ। ବିଭିନ୍ନ ନାଳ ଓ ପାଉଁଶ ଗଦାରୁ ମୃତଦେହ ମିଳୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଏଭଳି ସ୍ଥାନରୁ ଦୁଇ ଦିନ ମଧ୍ୟରେ ୪ଟି ମୃତଦେହ ଠାବ ହୋଇଛି।

ଚାନ୍ଦବାଗ ଅଂଚଳରେ ଦଙ୍ଗାର ମୁଖ୍ୟ ସଂଚାଳକ ବୋଲି କୁହାଯାଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ତାହିର୍‌ ହୁସେନ୍‌ଙ୍କ ବିଭିନ୍ନ ଗୋଦାମ ଓ ବାସଭବନରେ ପୁଲିସ ଚଢ଼ଉ କରି ଦଙ୍ଗାରେ ବ୍ୟବହାର ପାଇଁ ରଖାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ଦଙ୍ଗାକାରୀମାନଙ୍କୁ ଏକ୍‌ଜୁଟ କରି ସେମାନଙ୍କୁ ଅସ୍ତ୍ର ଯୋଗାଇବା ପାଇଁ ବ୍ୟବହାର ହୋଇଥିବା ତାହିର୍‌ଙ୍କ ଏକ କାର୍‌ଖାନାକୁ ପୁଲିସ ସିଲ୍‌ କରିଛି। ଦିଲ୍ଲୀ ହିଂସା ନେଇ ପୁଲିସ ମୋଟ ୪୮ଟି ଏଫ୍‌ଆଇଆର୍‌ ରୁଜୁ କରିଥିବା ବେଳେ ମୋଟ ୬୩୦ ଜଣଙ୍କୁ ଗିରଫ କରିଛି। ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟାକୁ ନେଇ ପୁଲିସ୍‌କୁ କେତେକ ବଳିଷ୍ଠ ପ୍ରମାଣ ମିଳିଛି। ଅଙ୍କିତଙ୍କ ପରିବାର ଲୋକେ ଏହି ହତ୍ୟା ପାଇଁ ତାହିର୍‌ଙ୍କୁ ଦାୟୀ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ଏବଂ ଭିଡ଼ ଉପରକୁ ୮ ରାଉଣ୍ଡ ଗୁଳି ଚାଳନା କରିଥିବା ଶାହରୁଖ୍‌ ଖାନ୍‌ ପୁଲିସ୍‌କୁ ଚକ୍‌ମା ଦେଇ ଦିଲ୍ଲୀରୁ ପରିବାର ସହ ଫେରାର୍‌ ହୋଇଯିବାରେ ସକ୍ଷମ ହୋଇଛି। ଶାହରୁଖ୍‌କୁ ପୂର୍ବରୁ ଗିରଫ କରାଯାଇଛି ବୋଲି ଖବର ପ୍ରକାଶ ପାଇଥିଲା ଏବଂ ଏଥିରେ ପୁଲିସ କୌଣସି ପ୍ରତିକ୍ରିୟା ରଖିନଥିଲା। ଏବେ ସେ ଫେରାର୍‌ ବୋଲି ଜଣାପଡ଼ିବା ପରେ ପୁଲିସ ତାକୁ ଆଦୌ ଗିରଫ ହିଁ କରିନଥିବା ସ୍ପଷ୍ଟ ହୋଇଛି।

ଉତ୍ତର ପୂର୍ବ ଦିଲ୍ଲୀର ହିଂସାଗ୍ରସ୍ତ ଅଂଚଳରେ ୭୦୦୦ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ ହୋଇଛନ୍ତି। ସମସ୍ତ ସମ୍ବେନଶୀଳ ଅଂଚଳରେ ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଉତ୍ତର ପୂର୍ବ ଦିଲ୍ଲୀର ଜାଫ୍‌ରାବାଦ, ମୌଜପୁର, ଚାନ୍ଦବାଗ୍‌, ଖୁରେଜ୍‌ ଖାନ ଏବଂ ଭଜନପୁରାରେ ୪ ଶହରୁ ଅଧିକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିବାରୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜୟ ରଖିବା ଦିଗରେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଜନସାଧାରଣ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ ପୁଲିସ ପ୍ରଶାସନ ନିବେଦନ କରିଛି।

ମରଶରୀର ନେବାକୁ ବି ଭୟ
ନୂଆଦିଲ୍ଲୀ: ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀ‌ରେ ଏବେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲେ ମଧ୍ୟ ଲୋକଙ୍କ ମନରୁ ଭୟ ହଟିନାହିଁ। ହିଂସାଜନିତ ମୃତ୍ୟୁସଂଖ୍ୟା ଏବେ ୪୨ରେ ପହଞ୍ଚିଛି। ତେବେ ଲୋକମାନେ ଏବେ ନିଜର ଆତ୍ମୀୟ ସ୍ବଜନଙ୍କ ମର ଶରୀର ହସ୍ପିଟାଲ୍‌ରୁ ଘରକୁ ଫେରାଇବା ପାଇଁ ମଧ୍ୟ ଭୟ କରୁଛନ୍ତି। କାଳେ ସେମାନେ ପୁଣି ଦଙ୍ଗାକାରୀଙ୍କ ଟାର୍ଗେଟ୍‌ରେ ରହିବେ ସେନେଇ ସେମାନଙ୍କ ମନରେ ପ୍ରବଳ ଭୟ ସୃ‌ଷ୍ଟି ହୋଇଛି। ଜାଫରାବାଦ, ମୌଜପୁର ଏବଂ କବୀର ନଗର ଅଂଚଳରେ ଉଭୟ ସଂପ୍ରଦାୟର ଲୋକେ ଆଗକୁ ପୁଣି ଅନର୍ଥ ଘଟିବା ଆଶଙ୍କା କରୁଛନ୍ତି। କିଛି ଲୋକ ଶବ ଘରକୁ ନ ଆଣି ତୁରନ୍ତ ସଂସ୍କାର କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଗୁରୁ ତେଜ ବାହାଦୁର ହସ୍ପିଟାଲ୍‌ର ଶବଘର ବାହାରେ ରୁଣ୍ଡ ହୋଇଥିବା ଅନେକ ଲୋକ ସେମାନଙ୍କ ପରିଜନଙ୍କ ମୃତ ଶରୀର ଘରକୁ ନେବାପାଇଁ ଅପେକ୍ଷାରେ ରହିଛନ୍ତି। ତେବେ ଅଧିକାଂଶ ଲୋକ ଶବ ନେବାପାଇଁ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି। କିଛି ଲୋକ ମର ଶରୀରକୁ ବି ଶ୍ମଶାନ ପର୍ଯ୍ୟନ୍ତ ପୁଲିସ ସୁରକ୍ଷାରେ ନେବାକୁ ଚାହିଛନ୍ତି। ଆଖି ଆଗରେ ନିଜର ଆତ୍ମୀୟ ସ୍ବଜନଙ୍କୁ ହତ୍ୟା ହେଉଥିବା ଦେଖିବା ପରେ ଏବେ ସେମାନଙ୍କ ମଧ୍ୟ‌ରେ ଭୟ ବଢ଼ି ଯାଇଛି। ତେବେ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ଲୋକଙ୍କୁ ଆଶ୍ବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର