ଦିଲ୍ଲୀ ହିଂସା: ଗୁଇନ୍ଦା ବିଭାଗ ୬ ଥର ସତର୍କ କରାଇଥିଲା, ମାନି ନଥିଲା ପୁଲିସ

ବିଦେଶୀ ସଂସ୍ଥାର ଅପପ୍ରଚାରକୁ ଭାରତର ଦୃଢ଼ ବିରୋଧ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନିୟନ୍ତ୍ରଣ ଦିଗରେ ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦିଲ୍ଲୀ ପୁଲିସକୁ ଏନେଇ ଅନେକ ଥର ଆଗୁଆ ସତର୍କ କରାଯାଇଥିଲା। ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସକୁ ସମ୍ଭାବ୍ୟ ହିଂସା ନେଇ ୬ ଥର ସତର୍କ କରାଇଥିଲା ଏବଂ ଅଧିକ ସଶସ୍ତ୍ର ପୁଲିସ ମୁତୟନ ପାଇଁ କୁହାଯାଇଥିଲା। ବିଜେପି ନେତା କପିଲ ମିଶ୍ରା ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ଲୋକମାନଙ୍କୁ ଏକଜୁଟ୍‌ ‌ହେବାପାଇଁ ଆହ୍ବାନ ଦେବାପରେ ଗୁଇନ୍ଦା ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିବାପାଇଁ ଦିଲ୍ଲୀ ପୁଲିସକୁ ସତର୍କ କରାଯାଇଥିଲା। ସେହିଦିନ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ମଧ୍ୟ ଜାଫରାବାଦରେ ମୁସ୍‌ଲିମ ମହିଳାଙ୍କୁ ନେଇ ଆଉ ଏକ ସାହିନବାଗ ସ୍ଥିତି ଉତ୍ପନ୍ନ କରିବାକୁ ଆହ୍ବାନ ଦେଇଥିଲେ ଏବଂ ତାଙ୍କ ଆହ୍ବାନରେ ସେଠାରେ ବହୁ ସଂଖ୍ୟାରେ ଲୋକେ ଏକଜୁଟ ହୋଇଥିଲେ। ଏ ବାବଦରେ ମଧ୍ୟ ଗୁଇନ୍ଦା ବିଭାଗ ପୁଲିସକୁ ସତର୍କ କରାଇ ସେଠାରେ ସୁରକ୍ଷା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଥିଲା। ଉତ୍ତର ପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ସମୟରେ ମଧ୍ୟ ପୁଲିସକୁ ସତର୍କ କରାଯାଇଥିଲା। ମୌଜପୁର ଅଂଚଳରେ ୨୪ ତାରିଖର ସଂଘର୍ଷ ପୂର୍ବରୁ ଯେଉଁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା ସେ ବାବଦରେ ମଧ୍ୟ ପୁଲିସକୁ ଆଗୁଆ ସୂଚନା ମିଳିଥିଲା। ସମ୍ପୃକ୍ତ ଅଞ୍ଚଳରେ ପଥର ମାଡ଼ ହେବାପରେ ପୁଲିସକୁ ପୁଣିଥରେ ସତର୍କ କରାଯାଇଥିଲା।

ଦିଲ୍ଲୀ ପୁଲିସ ସଠିକ୍‌ ସମୟରେ କୌଣସି କାର୍ଯ୍ୟାନୁ‌ଷ୍ଠାନ ନ କରିବାରୁ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଗଲା ବୋଲି କୁହାଯାଉଛି। ଅନ୍ୟପକ୍ଷେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଗୁଇନ୍ଦା ସୂଚନା ମିଳିବାପରେ ଦିଲ୍ଲୀ ପୁଲିସ ସଠିକ୍‌ ଭାବେ ଏହାର କାର୍ଯ୍ୟ ସମ୍ପାଦନ କରିଛି ଏବଂ କୌଣସି କ୍ଷେତ୍ରରେ ବି ଅବହେଳାର ପ୍ରଶ୍ନ ଉଠୁନାହିଁ।

ବିଦେଶୀ ସଂସ୍ଥାର ଅପପ୍ରଚାରକୁ ଭାରତର ଦୃଢ଼ ବିରୋଧ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ବିଭିନ୍ନ ବିଦେଶୀ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ଭାରତ ବିରୋଧରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର କରିବାରେ ଲାଗିଛନ୍ତି। ସିଏଏ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ହୋଇଥିବା ହିଂସାକୁ ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ଆଖ୍ୟା ଦେଇ ଏହି ବିଦେଶୀ ସଂସ୍ଥାମାନେ ବ୍ୟାପକ ଅପପ୍ରଚାର ଚଳାଇଛନ୍ତି। ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ଏବଂ ଆମେରିକା ଓ ବ୍ରିଟେନ୍‌ର କେତେକ ସଂସ୍ଥା ଦାୟିତ୍ବହୀନ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରି ସେମାନେ ଏଭଳି କାର୍ଯ୍ୟରୁ ଦୂରେଇ ରହିବା ଉଚିତ ବୋଲି କହିଛି। ଆମେରିକାର ‘ୟୁଏସ୍‌ସିଆଇଆର୍‌ଏଫ୍‌’ ସଂସ୍ଥା ମଧ୍ୟ ଦିଲ୍ଲୀ ହିଂସାକୁ ନେଇ ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ କରିଛି। ଏହି ସଂସ୍ଥା ହିନ୍ଦୁ ଏବଂ ମୁସ୍‌ଲିମ୍‌ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ବଢ଼ାଇବା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତ ଏହାକୁ ଖଣ୍ଡନ କରିଛି ଏବଂ ହିଂସାର ରାଜନୀତିକରଣ କରିବା ପାଇଁ ଚାଲିଥିବା ପ୍ରୟାସ ବନ୍ଦ ହେବ ଉଚିତ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି। ଅନେକ ବ୍ୟକ୍ତି ବିଦେଶୀ ମଧ୍ୟ ଗଣମାଧ୍ୟମରେ ଦାୟିତ୍ବହୀନ ମନ୍ତବ୍ୟ ଦେବା ନିନ୍ଦନୀୟ ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର