ଦିଲ୍ଲୀ ହିଂସା: କପିଲ ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ

ରତନ ଲାଲ୍‌ ଗୁଳିମାଡ଼ର ଶିକାର ହୋଇଥିଲେ

ନୂଆଦିଲ୍ଲୀ: ଗତ ରବିବାର ଏବଂ ସୋମବାର ଦିନ ସିଏଏ ବିରୋଧୀଙ୍କୁ ନେଇ ଉତ୍ତେଜକ ବୟାନ ଦେଇଥିବାରୁ ବିଜେପି ନେତା କପିଲ ମିଶ୍ରାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଆପ୍‌ କର୍ପୋରେଟର ରେଶମା ନଦୀମ୍‌ଙ୍କ ଦ୍ବାରା ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ହସିବ ଉଲ ହାସନ୍‌ଙ୍କ ଦ୍ବାରା ଅନ୍ୟ ଏକ ଏଫ୍‌ଆଇଆର ରୁଜୁ ହୋଇଛି। ଆନ୍ଦୋଳନ ସମୟରେ କପିଲ ହିଂସା ପାଇଁ ଉସୁକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଜାମିଆ କମିଟି ପକ୍ଷରୁ ମଧ୍ୟ କପିଲଙ୍କୁ ଗିରଫ କରିବାପାଇଁ ଦାବି ହୋଇଛି। ତେବେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ପକ୍ଷରୁ କୁହାଯାଇଛି ଯେ, ଚାନ୍ଦବାଗ ମଜାର ନିକଟରେ ଯେଉଁ ଦଙ୍ଗାକାରୀମାନେ ହିଂସାରେ ସମ୍ପୃକ୍ତ ଥିଲେ ଏବଂ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ ସେମାନଙ୍କର ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ସହ ସମ୍ପୃକ୍ତି ରହିଛି।

ନୂଆଦିଲ୍ଲୀ: ସିଏଏ ବିରୋଧୀ ହିଂସାରେ ଗତକାଲି ଦିଲ୍ଲୀ ପୁଲିସର ହେଡ୍‌ କନେଷ୍ଟବଳ ରତନ ଲାଲ୍‌ଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପଥର ମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ଶରୀରରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ୪୨ ବର୍ଷୀୟ ରତନ ଲାଲ୍‌ ୧୯୯୮ରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ତାଙ୍କ ଘର ରାଜସ୍ଥାନର ସିକରରେ। ରତନ ଲାଲ୍‌ଙ୍କର ପତ୍ନୀ ଏବଂ ୩ ସନ୍ତାନ ଅଛନ୍ତି। ଗତକାଲି ଦୟାଲପୁର ଥାନା ନିକଟରେ ଜଣେ ପୁଲିସ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ରତନ ଲାଲ୍‌ଙ୍କ ମର ଶରୀରକୁ ଉତ୍ତର ଦିଲ୍ଲୀ ସ୍ଥିତ ତାଙ୍କ ବୁରାଡ଼ି ବାସଭବନକୁ ନିଆଯାଇଛି। ପରେ ତାଙ୍କ ମୃତ ଶରୀରକୁ ନିଜ ଗ୍ରାମ ରାଜସ୍ଥାନର ସିକର ଜିଲ୍ଲା ଅଧୀନସ୍ଥ ଫତେପୁର ତିୱାଲି ନିଆଯିବ। ଆସନ୍ତାକାଲି ରତନ ଲାଲ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ତେବେ ରତନଙ୍କ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେମାନେ ରତନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ସରକାରୀ ଚାକିରି ଦାବି କରିଛନ୍ତି ଏବଂ ତାଙ୍କ ବୁଢ଼ା ବାପା ମା’ଙ୍କ ପାଇଁ ପେନସନ୍‌ ଦାବି କରିଛନ୍ତି। ଆଜି ରତନ ଲାଲ୍‌ଙ୍କୁ ୧୦୦୦ରୁ ଅଧିକ ସହକର୍ମୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର