ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୁଲିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ ପ୍ରଦାନ କରିଛି। ଆପରାଧିକ ଷଡ଼୍‌ଯନ୍ତ୍ର ଯୋଗୁ ଏହି ହିଂସା ହୋଇଛି ବୋଲି ଦିଲ୍ଲୀ ପୁଲିସ ତା’ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ କହିଛି। ବର୍ତ୍ତମାନ ଏହି ମାମଲାରେ ଗିରଫ ସଂଖ୍ୟା ୨୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ କିଛି ନାବାଳକ ରହିଛନ୍ତି। ତେବେ ଦିଲ୍ଲୀ ପୁଲିସ ରିପୋର୍ଟ ପ୍ରଦାନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଦିଲ୍ଲୀ ପୁଲିସ କମିସନର ରାକେଶ ଆସ୍ଥାନାଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ଘଟଣା ପରେ ଶାହ ଓ ଆସ୍ଥାନାଙ୍କ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଟେଲିଫୋନିକ ବାର୍ତ୍ତାଳପ। ସ୍ଥାନୀୟ ଅଞ୍ଚଳରେ ସାନି ହିଂସାକୁ ରୋକିବା ପାଇଁ ପୁଲିସ ଡ୍ରୋନର ଉପଯୋଗ କରିଛି। ଜାମା ମସଜିଦ ଏବଂ ହଜ୍‌ କ୍ବାଜି ଅଞ୍ଚଳ ଉପରେ ପୁଲିସ କଡ଼ା ନଜର ରଖିଛି ବୋଲି ସେଣ୍ଟ୍ରାଲ ଡିସିପି ଶ୍ବେତା ଚୌହାନ କହିଛନ୍ତି।

Advertisment

ହିଂସା ମାମଲାରେ ଦିଲ୍ଲୀ ପୁଲିସ ଜଣେ ନାବାଳକ ସମେତ ଗୋଟିଏ ପରିବାରର ୬ ଜଣଙ୍କୁ ଗିରଫ କରିଛି। ଉଭୟ ସଂପ୍ରଦାୟର ଲୋକଙ୍କୁ ପୁଲିସ ଗିରଫ କରିଛି। ହିଂସା ମାମଲାରେ ଜଡ଼ିତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ ହୋଇଛି। ଏନଏସଏ ଲାଗିଥିବା ଅଭିଯୁକ୍ତମାନେ ହେଲେ ସୋନୁ ଶେଖ। ସୋନୁ ଘଟଣା ସ୍ଥଳରେ ଗୁଳି ଚାଳନା କରିଥିଲା। ଏଥିସହିତ ହିଂସାର ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ କୁହାଯାଉଥିବା ଅନସାର ସମେତ ସଲିମ, ଦିଶାଦ ଏବଂ ଅହିର ବିରୋଧରେ ଏନଏସଏ ଲାଗିଛି। ପୂର୍ବରୁ ଗିରଫ ହୋଇଥିବା ସୋନୁ ଓରଫ ଇମାମ ଓରଫ ୟୁନୁସକୁ ପୁଲିସ ୪ ଦିନ ‌ନିଜ ହେପାଜତକୁ ନେଇଛି। ରୋହିଣୀ ଅଦାଲତ ଏଥିପାଇଁ ପୁଲିସକୁ ଅନୁମତି ଦେଇଛନ୍ତି। ବହୁସଂଖ୍ୟାରେ ସୁରକ୍ଷା କର୍ମୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ମୁତୟନ ହୋଇଛନ୍ତି। ୫୦୦ରୁ ଅଧିକ ପୁଲିସ ଏବଂ ୬ କମ୍ପାନି ଅତିରିକ୍ତ ଫୋର୍ସ ୨୪ ଘଣ୍ଟା ଘଟଣା ସ୍ଥଳରେ ରହିଛନ୍ତି। ତେବେ ପରିସ୍ଥିତି ସ୍ବାଭାବିକତା ଆଡ଼କୁ ଫେରୁଛି। ମଙ୍ଗଳବାର କିଛି ଦୋକାନ ଖୋଲାଯାଇଛି।

ଅନ୍ୟପକ୍ଷରେ ବାମଦଳ ପକ୍ଷରୁ ଆଜି ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ୧୬ ତାରିଖର ହିଂସା ପାଇଁ ସଂଘ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଦାୟୀ କରାଯାଇଛି। ସେଠାରେ ହିନ୍ଦୁ ଓ ମୁସଲମାନମାନେ ବର୍ଷ ବର୍ଷ ଧରି ଶାନ୍ତି ଶଙ୍ଖଳାର ସହ ବାସ କରି ଆସୁଛନ୍ତି। ତେଣୁ ହିଂସାରେ ଯେଉଁମାନେ ଭାଗ ନେଇଥିଲେ ସେମାନେ ବାହାରର ଲୋକ ବୋଲି ଦାବି କରାଯାଇଛି।