ଦିଲ୍ଲୀ ଜଳୁଛି : ଦଙ୍ଗା ନେଲାଣି ୨୭ ଜୀବନ

ଦିଲ୍ଲୀ ପୁଲିସକୁ ସୁପ୍ରିମ୍‌ କୋର୍ଟ, ହାଇକୋର୍ଟଙ୍କ ଭର୍ତ୍ସନା
ଶାନ୍ତି ରକ୍ଷା ପାଇଁ ମୋଦୀଙ୍କ ନିବେଦନ
ଦଙ୍ଗାଗ୍ରସ୍ତ ଅଞ୍ଚଳ ବୁଲିଲେ ଅଜିତ ଡୋଭାଲ
ଅମିତ ଶାହଙ୍କ ଇସ୍ତଫା ଦାବି କଲେ ସୋନିଆ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ତିନି ଦିନ ଧରି ଚାଲିଥିବା ହିଂସା ଥମିବାର ନାମ ନେଉନାହିଁ। ଆଜି ରାତି ସୁଦ୍ଧା ଏହି ହିଂସାରେ ୨୭ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ହିଂସା ନେଇ ସୁପ୍ରିମ୍‌ କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୁଲିସ ଦକ୍ଷତାର ସହ ପରିସ୍ଥିତି‌ର ମୁକାବିଲା କରିନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ପୁଲିସକୁ ଭର୍ତ୍ସନା କରିଛନ୍ତି। ହିଂସା ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୁଲିସ ଯଥୋଚିତ ପଦକ୍ଷେପ ଗ୍ରହଣ କରିନାହିଁ ଏବଂ ପୁଲିସ ନିଜର କ୍ଷମତା ପ୍ରୟୋଗ କରିବାରେ ମଧ୍ୟ ବିଫଳ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ହିଂସାକାଣ୍ଡ ପାଇଁ ଦାୟୀ କରାଯାଉଥିବା ବିଜେପି ନେତାମାନଙ୍କ ବିରୋଧରେ କ‌ାର୍ଯ୍ୟାନୁଷ୍ଠାନ ହେଉନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ଦ‌ାୟର କରିବା ନିମନ୍ତେ କୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ପୁଲିସକୁ ୨୪ ଘଣ୍ଟାର ସମୟ ଦିଆଯାଇଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଲୋକଙ୍କୁ ଶାନ୍ତିର ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ପରିସ୍ଥିତିରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବାକୁ ହେବ। ଦିଲ୍ଲୀରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଅହରହ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କିଛି ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଅନ୍ୟ କେତେକ ଅଞ୍ଚଳରେ ଏବେ ମଧ୍ୟ ହିଂସାର ଖବର ମିଳିଛି। ହିଂସାରେ ୨୭ ଜଣ ପ୍ରାଣ ହରାଇଲେଣି। କେବଳ ଦିଲ୍ଲୀର ଜିଟିବି ହସ୍ପିଟାଲରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ମଧ୍ୟ ଜିଟିବି ହସ୍ପିଟାଲରେ ୧୬ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏବେ ଜିଟିବିରେ ମୋଟ ୩୫ ଜଣ ଆହତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସୁରକ୍ଷା ପରମର୍ଶଦାତା (ଏନ୍‌ଏନ୍‌ଏ) ଅଜିତ ଡୋଭଲ ହିଂସାଗ୍ରସ୍ତ ଅଂଚଳରେ ଗତରାତିରୁ ଡେରା ପକାଇ ଉଭୟ ପକ୍ଷର ଲୋକଙ୍କ ସହିତ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାକୁ ଆଲୋଚନା କରିଛନ୍ତି। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଡୋଭାଲ ଦୁଇଟି ପର୍ଯ୍ୟାୟରେ ବୈଠକ କରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ହିଂସା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି ଡୋଭାଲ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ପରିସ୍ଥିତିର ମୁକାବିଲାରେ ବିଫଳ ହୋଇଥିବା ଦିଲ୍ଲୀ ‌ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ପୁଲିସର ଦକ୍ଷତା ଓ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେଣି।

ହିଂସାଗ୍ରସ୍ତ ଅଂଚଳରେ ପୁଲିସ କର୍ମୀ ମୁତୟନ ଥିବା ବେଳେ ରୢାପିଡ୍‌ ଆକ୍ସନ ଫୋର୍ସ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ମୌଜପୁର, ଭଜନପୁରା ଏବଂ ଜାପରାବାଦରେ ଆଜି ବି ହିଂସା ଜାରି ରହିଥିବାରୁ ସୁରକ୍ଷା ବାହିନୀ ସେଠାରେ ଫ୍ଲାଗ୍‌ମାର୍ଚ କରିଛନ୍ତି। ବାବରପୁରରେ ଆଜି ଅପରାହ୍ନରେ ପୁଣି ପୋଡ଼ାଜଳା ଏବଂ ପଥରମାଡ଼ ଆରମ୍ଭ ହୋଇଯିବାରୁ ସେଠାରେ ସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିହତ ପୁଲିସ କର୍ମଚାରୀ ରତନ ଲାଲଙ୍କ ପରିବାର ପାଇଁ ୧ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି।

ଦିଲ୍ଲୀ ହିଂସା ନେଇ ଆଜି ରାଜନୀତି ମଧ୍ୟ ସରଗରମ ହୋଇଛନ୍ତି। କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ହିଂସା ପାଇଁ କେନ୍ଦ୍ର ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଆପ୍‌ ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ହିଂସା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ଦାୟୀ କରାଯାଇଛି ଏବଂ ଦିଲ୍ଲୀରେ ତୁରନ୍ତ ସେନା ମୁତୟନ ପାଇଁ ଦାବି କରାଯାଇଛି । ଏନ୍‌ସିପି ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି।

ସମ୍ବନ୍ଧିତ ଖବର