ଦିଲ୍ଲୀ ହିଂସା ନେଇ ସଂସଦରେ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଆଜି ସଂସଦର ଉଭୟ ଗୃହରେ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଥିଲେ। ବିରୋଧୀମାନେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ। ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଅବସରରେ ଦିଲ୍ଲୀ ହିଂସାକୁ ନେଇ ଲୋକସଭା‌ରେ ଆଲୋଚନା କରିବାକୁ ବିରୋଧୀମାନେ ନୋଟିସ କରିଥିବାବେଳେ ବାଚସ୍ପତି ଓମ୍‌ ବିର୍ଲା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଦିଲ୍ଲୀର ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ନଥିବାରୁ ଏ ନେଇ ଗୃହରେ ଆଲୋଚନା କରିବା‌ ସମ୍ଭବ ନୁହେଁ ବୋଲି ବାଚସ୍ପତି କହିବା ପରେ ବିରୋଧୀମାନେ ପ୍ରବଳ ପାଟିତୁଣ୍ଡ କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ସେହିଭଳି ବିରୋଧୀମାନେ ହଟ୍ଟଗୋଳ କରିବା ଫଳରେ ରାଜ୍ୟସଭାକୁ ମଧ୍ୟ ମୁଲତବୀ କରିବାକୁ ପଡ଼ିଥିଲା। ଦିଲ୍ଲୀ ଜଳୁଥିବାବେଳେ କେନ୍ଦ୍ର ସରକାର ଗଭୀର ନିଦ୍ରାରେ ଶୋଇ ରହିଥିଲେ ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ୍‌ ନବି ଆଜାଦ ଆକ୍ଷେପ କରିଥିଲେ। ଦିଲ୍ଲୀ ହିଂସା ପାଇଁ ରାଜ୍ୟସଭାରେ ବିରୋଧୀ କଂଗ୍ରେସ ସମେତ ବାମଦଳ, ଟିଏମ୍‌ସି, ସମାଜବାଦୀ ପାର୍ଟି, ଆପ୍‌, ବିଏସ୍‌ପି ଏବଂ ଡିଏମ୍‌କେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ। ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ୪ ଦିନ ଧରି ଲାଗି ରହିଥିବା ଦିଲ୍ଲୀ ହିଂସାରେ ୪୭ ଜଣଙ୍କର ପ୍ରାଣ ଯାଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହିଭଳି ଦିଲ୍ଲୀ ହିଂସାକୁ ନେଇ ବିରୋଧୀ କଂଗ୍ରେସ, ଟିଏମ୍‌ସି ଏବଂ ଆପ୍‌ର ସାଂସଦମାନେ ସଂସଦ ବାହାରେ ଗାନ୍ଧୀ ମୂର୍ତ୍ତି ନିକଟରେ ଭିନ୍ନଭିନ୍ନ ଢଙ୍ଗରେ ଧାରଣାରେ ବସିଥିଲେ। ତୃଣମୂଳ କଂଗ୍ରେସ ‌ସାଂସଦ ମହୁଆ ମୈତ୍ର ଏବଂ ସୁଖେନ୍ଦୁ ଶେଖର ରାୟ ଗାନ୍ଧୀଙ୍କ ତିନି ମାଙ୍କଡ଼ ମୁଦ୍ରାରେ ସଂସଦ ବାହାରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର