ଦିଲ୍ଲୀ ଦଙ୍ଗା ଏକ ଯୋଜନାବଦ୍ଧ ଗଣହତ୍ୟା: ମମତା

କୋଲକାତା : ଉତ୍ତର ପୂର୍ବ ଦିଲ୍ଲୀରେ ‌ଘଟିଥିବା ଦଙ୍ଗାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ଏହା ଯୋଜନାବଦ୍ଧ ଗଣହତ୍ୟା ଥିଲା ବୋଲି ଦଳର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଜି ମମତା ମନ୍ତବ୍ୟ ଦେଇଛନ୍ତି। ଏହା ଯୋଜନାବଦ୍ଧ ଗଣହତ୍ୟା ଥିଲା ଯାହାକୁ ପରେ ‌ଦଙ୍ଗାର ରୂପ ଦିଆଯାଇଥିବା ତାଙ୍କୁ ଅନେକ ବ୍ୟକ୍ତି କହିଛନ୍ତି ବୋଲି ମମତା ମତବ୍ୟକ୍ତ କରିଛନ୍ତି। ଦିଲ୍ଲୀ ପୁଲିସ, ସିଆରପିଏଫ୍ ଏବଂ ସିଆଇଏସ୍‌ଏଫ୍ ଥିଲେ ବି କିଛି କରାଯାଇ ନଥିଲା। ବିଜେପି ଏତେ ଲଜ୍ଜାହୀନ ଯେ ଏହି ଘଟଣା ପାଇଁ କ୍ଷମା ମଧ୍ୟ ମାଗିଲା ନାହିଁ। ନେତାଜୀ ଇନଡୋର ଷ୍ଟାଡିୟମରେ ଦଳର କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବାବେଳେ ମମତା ଏହା କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ଗସ୍ତ ବେଳେ ଗୋଲି ମାରୋ ସ୍ଲୋଗାନକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ଏହି ସ୍ଲୋଗାନ ଦେଇଥିବା ‌ବ୍ୟକ୍ତିଙ୍କ ମଧ୍ୟରୁ ୩ ବିଜେପି ସମର୍ଥକଙ୍କୁ କୋଲକାତା ପୁଲିସ ସୋମବାର ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଚଳାଇଛି ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର