ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୭, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବ୍ୟାପିଥିବା ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ବିଭିନ୍ନ ହସ୍ପିଟାଲରେ ୧୮୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ଉପଦ୍ରବ ବୁଧବାର ମଧ୍ୟ ଜାରି ରହିଛି। ବର୍ତ୍ତମାନ ଦିଲ୍ଲୀର ଅବସ୍ଥା ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେ ଉତ୍ତର-ପୂର୍ବ ଡିସିପି କାର୍ଯ୍ୟଳୟରେ ପହଞ୍ଚିଛନ୍ତି। ସେହିପରି ଦିଲ୍ଲୀ ପୁଲିସ ବସ୍ତି ଅଞ୍ଚଳରେ ମଧ୍ୟ ବୁଲୁଛି।

ଗୁରୁ ତେଗ ବାହାଦୂର ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ସୁନୀଲ କୁମାର ବୁଧବାର ରାତି ଗଣମାଧ୍ୟମକୁ କହିଛନ୍ତି, ଚିକିତ୍ସାଧୀନ ଅବସ୍ଥାରେ ପୁଣି ୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା।

News Nation

ଦିଲ୍ଲୀ ପୁଲିସର ଲୋକସଂପର୍କ ଅଧିକାରୀ ଏମ୍‌ଏସ୍‌ ରନ୍ଧଓ୍ଵା କହିଛନ୍ତି, ୧୮ ଏଫଆଇଆର ରୁଜୁ କରି ୧୦୬ ଜଣଙ୍କୁ ଗିରଫ କରାଯାଇଛି। ହିଂସାକାଣ୍ଡରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ବିପୁଳ ପରିମାଣରେ ପୁଲିସ ମୁତୟନ ଅଛନ୍ତି। ଆଜି କୌଣସି ଘଟଣା ଘଟି ନାହିଁ। ବରିଷ୍ଠ ଅଧିକାରୀ ମନିଟରିଂ କରୁଛନ୍ତି। ପିସିଆରକୁ କମ ଟେଲଫୋନ କଲ ଆସିଛି। ଡ୍ରୋନ ସାହାଯ୍ୟରେ ଉପଦ୍ରବଙ୍କ ଉପରେ ନଜର ରଖାଯାଉଛି ବୋଲି ସେ କହିଛନ୍ତି।

ଦଙ୍ଗା ପ୍ରପୀଡ଼ିତ ଅଞ୍ଚଳରେ ଦିଲ୍ଲୀ ପୁଲିସ ୧୪୪ ଧାରା ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଲାଗୁ କରିଛି । ଦଙ୍ଗା ରୋକିବାକୁ ପୁଲିସ ଜାଫରାବାଦ, ମୌଜପୁର, ବାବରପୁର, ନୂରଇଲାହୀ ଆଦି ସ୍ଥାନରେ ଫ୍ଲାଗମାର୍ଚ୍ଚ କରୁଛି । ଅନ୍ୟପକ୍ଷରେ ଏସବୁ ଅଞ୍ଚଳରେ ରହୁଥିବା ଲୋକମାନେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦଙ୍ଗାକାରୀମାନେ ଦୋକାନ ବଜାର ଭାଙ୍ଗି ଦେଇଥିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥା କ୍ଷୀର, ପନିପରିବା, ଖାଦ୍ୟସାମଗ୍ରୀର ଅଭାବ ଦେଖାଦେଇଛି । ଯେତିକି ଦୋକାନରେ କିଛି ସାମଗ୍ରୀ ଅଛି ସେଠାରେ ଦର ଆକାଶଛୁଆଁ ରହିଛି । ଲୋକମାନେ କ୍ଷୀର ଲିଟର ୫୦ ଟଙ୍କା, ଚଢା ଦରରେ ପନିପରିବା କିଣୁଛନ୍ତି ।

ସମ୍ବନ୍ଧିତ ଖବର