ଦିଲ୍ଲୀରେ ସିଏଏ ହିଂସା: ୧୩ ଜଣଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା, କାଲି ସ୍କୁଲ ଛୁଟି, ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ଓ ବିରୋଧରେ ହୋଇଥିବା ରାଲିକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀ ଏବେ ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଅଞ୍ଚଳରେ ମଙ୍ଗଳବାର ମଧ୍ୟ ତୀବ୍ର ହିଂତ୍ସାତ୍ମକ ଗତିବିଧି ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋମବାର ଠାରୁ ମଙ୍ଗଳବାର ଯାଏଁ ହିଂସାରେ ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ସେହିଭଳି ଶତାଧିକ ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ମାସ (୨୦୨୦ ଫେବ୍ରୁଆରି ୨୪ରୁ ମାର୍ଚ୍ଚ ୨୪) ପାଇଁ ୧୪୪ ଧାରା ଜାରି କରିଦିଆଯାଇଛି। ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି କି ବୁଧବାର (ଫେବ୍ରୁଆରି ୨୬)ରେ ଉତ୍ତର-ପୂର୍ବ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ। ଅର୍ଥାତ ଜିଲ୍ଲାର ସମସ୍ତ ସରକାର ଓ ଘରୋଇ ବିଦ୍ୟାଳୟ ଖୋଲିବ ନାହିଁ। ଏହା ବ୍ୟତୀତ ଶିକ୍ଷାମନ୍ତ୍ରୀ କହିଛନ୍ତି, ସମସ୍ତ ବିଦ୍ୟାଳୟର ଗୃହ ପରୀକ୍ଷା ସ୍ଥଗିତ କରି ଦିଆଯାଇଛି। ମନୀଷ ସିସୋଦିଆ ଆଜି ପୁଣି ଥରେ ସିବିଏସଇକୁ ମଧ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କରିବାକୁ ଅପିଲ କରିଛି।

ମୌଜପୁର, ବାବରପୁର, ଜାଫରାବାଦ, ଗୋକୁଳପୁରୀ, ବୃଜପୁରୀ ଆଦି ଅଞ୍ଚଳରେ ପୁଲିସ ଓ ରାପିଡ ଆକ୍ସନ ଫୋର୍ସ (ଆରପିଏଫ୍‌) ମୁତୟନ କରାଯାଇଛି। ମାତ୍ର ଏହି ଅଞ୍ଚଳରେ ପଥରମାଡ଼ ଘଟଣା ଏବେବି ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ମୌଜପୁର ସମ୍ମୁଖ ବ୍ରହ୍ମପୁରୀ ଅଞ୍ଚଳରେ ଉପଦ୍ରବ ଦେଖାଯାଇଥିଲା। ଏଠାରେ ପଥରମାଡ଼ ହୋଇଥିଲା।

ଗୁରୁ ତେଗ ବାହାଦୂର ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଗଣମାଧ୍ୟମକୁ କହିଛନ୍ତି, ସୋମବାର ୧୦୦ ଜଣ ଆହତଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ଆଜି ପୁଣି ପ୍ରାୟ ୮୦ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି। ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ପୁଣି ୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି।

ଆଜି ଖଜୁର ଖାଶରେ ଆରପିଏଫ୍‌ ଫ୍ଲାଗମାର୍ଚ୍ଚ କରିଛି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଓ ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ସୋମବାର ହିଂସାରେ ସହିଦ ହୋଇଥିବା ଦିଲ୍ଲୀ ପୁଲିସର ମୁଖ୍ୟ କନ୍‌ଷ୍ଟେବଳ ରତନଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲ୍ଲୀ ପୁଲିସ କମିସନର କହିଛନ୍ତି, ରତନଲାଲ ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଆମେ ତାଙ୍କର ପରିବାର ସହିତ ଛିଡ଼ା ହେବା।

ସମ୍ବନ୍ଧିତ ଖବର