୪ଦିନ ପରେ ଦିଲ୍ଲୀ ଶାନ୍ତ : ଦଙ୍ଗା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ତଦନ୍ତ ପାଇଁ ୨ଟି ଏସ୍‌ଆଇଟି ଗଠନ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସମର୍ଥକ ଏବଂ ବିରୋଧୀଙ୍କ ମଧ୍ୟରେ ଘଟିଥିବା ଭୟାନକ ହିଂସାରେ ଏ ପର୍ଯ୍ୟନ୍ତ ୩୮ଜଣଙ୍କ ମୃତ୍ୟୁ ଘଟିଛି। ୨୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଅପରାହ୍ନରୁ କୌଣସି ହିଂସା ଘଟିନଥିବା ବେଳେ ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। ଆଜି କୌଣସି ସ୍ଥାନରେ ହିଂସା ଘଟିନାହିଁ ଏବଂ ଉତ୍ତେଜନା ମଧ୍ୟ ହ୍ରାସ ପାଇଛି। ଆଜି ସକାଳେ ହିଂସା ପ୍ରଭାବିତ ବିଭିନ୍ନ ଅଂଚଳରେ ସୁରକ୍ଷା ବାହିନୀ ଫ୍ଲାଗ୍‌ମାର୍ଚ କରିଛନ୍ତି। ହିଂସାରୁ ଦୂରେଇ ରହିବା ଏବଂ ଭାଇଚାରା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

ଦିଲ୍ଲୀ ହିଂସା ମାମଲାରେ ଆଜି ସନ୍ଧ୍ୟା ସୁଦ୍ଧା ୪୮ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ବେଳେ ୩୫୦ଟି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଉତ୍ତର ପୂର୍ବ ଦିଲ୍ଲୀ ସ୍ଥିତି ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି ଏବଂ ସଂପୂର୍ଣ୍ଣ ଶାନ୍ତି ସୁନିଶ୍ଚିତ କରାଇବାକୁ ଗୁରୁତ୍ବାରୋପ କରିଛନ୍ତି। ହିଂସାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ ହୋଇଛି ଏବଂ ସମସ୍ତ ମାମଲା କ୍ରାଇମ୍‌ ବ୍ରାଞ୍ଚ୍‌ର ଏସ୍‌ଆଇଟିକୁ ନ୍ୟସ୍ତ କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର କମିସନର ଏସ୍‌ଏନ୍‌ ଶ୍ରୀବାସ୍ତବ କହିଛନ୍ତି ଯେ ଉତ୍ତର ପୂର୍ବ ଦିଲ୍ଲୀରେ ସ୍ଥିତି ଦ୍ରୁତ ଗତିରେ ସ୍ବାଭାବିକ ହେଉଛି ଏବଂ ପୁଲିସ ପକ୍ଷରୁ ଲଗାତାର ମାମଲା ରୁଜୁ ଚାଳିଛି। ସିସିଟିଭି ଫୁଟେଜ୍‌ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମଳିନୀରେ ହିଂସା ପୀଡ଼ିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ନାବାଳକ ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଏବଂ ଗୁରୁତର ଆହତଙ୍କୁ ସମସ୍ତ ଚିକିତ୍ସା ସୁବିଧା ସହିତ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ କେଜ୍ରିୱାଲ ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘର ସଂପୂର୍ଣ୍ଣ ଜଳି ଯାଇଛି ସେମାନଙ୍କୁ ୫ ଲକ୍ଷ ଏବଂ ଯେଉଁମାନଙ୍କର ଦୋକାନ ଜଳି ଯାଇଛି ସେମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର