ଦିଲ୍ଲୀ : ଦଙ୍ଗା ପ୍ରପୀଡ଼ିତ ଅଞ୍ଚଳରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଦର ଆକାଶଛୁଆଁ

ନୂଆଦିଲ୍ଲୀ : ଦିଲ୍ଲୀର ଦଙ୍ଗା ପ୍ରପୀଡ଼ିତ ଅଞ୍ଚଳରେ ଦିଲ୍ଲୀ ପୁଲିସ ୧୪୪ ଧାରା ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଲାଗୁ କରିଛି । ଦଙ୍ଗା ରୋକିବାକୁ ପୁଲିସ ଜାଫରାବାଦ, ମୌଜପୁର, ବାବରପୁର, ନୂରଇଲାହୀ ଆଦି ସ୍ଥାନରେ ଫ୍ଲାଗମାର୍ଚ୍ଚ କରୁଛି । ଅନ୍ୟପକ୍ଷରେ ଏସବୁ ଅଞ୍ଚଳରେ ରହୁଥିବା ଲୋକମାନେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦଙ୍ଗାକାରୀମାନେ ଦୋକାନ ବଜାର ଭାଙ୍ଗି ଦେଇଥିବାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥା କ୍ଷୀର, ପନିପରିବା, ଖାଦ୍ୟସାମଗ୍ରୀର ଅଭାବ ଦେଖାଦେଇଛି । ଯେତିକି ଦୋକାନରେ କିଛି ସାମଗ୍ରୀ ଅଛି ସେଠାରେ ଦର ଆକାଶଛୁଆଁ ରହିଛି । ଲୋକମାନେ କ୍ଷୀର ଲିଟର ୫୦ ଟଙ୍କା, ଚଢା ଦରରେ ପନିପରିବା କିଣୁଛନ୍ତି ।
ଅନ୍ୟପକ୍ଷରେ ଏହି ଦଙ୍ଗାରେ ମୃତ୍ୟୁସଂଖ୍ୟା ୨୪ରେ ପହଞ୍ଚିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୧୦୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୮ଟି ଏଫଆଇଆର ରୁଜ୍ଜୁ ହୋଇଛି । ବୁଧବାରଦିନ କୌଣସି ନୂଆ ହିଂସାକାଣ୍ଡ ସୃଷ୍ଟି ହୋଇନଥିବା ସତ୍ତ୍ୱେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି । ହିଂସାପ୍ରପୀଡ଼ିତ ଅଞ୍ଚଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପହଞ୍ଚି ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର